ଚଣ୍ଡିଗଡ଼, ୧୬।୯: ପୂର୍ବତନ ଭାରତୀୟ କ୍ରିକେଟର୍ ସୁରେଶ ରାଇନାଙ୍କ ମାମୁଁ ଓ ମାମୁଁ ପୁଅ ଭାଇଙ୍କୁ ହତ୍ୟା ମାମଲାରେ ପଞ୍ଜାବ ପୋଲିସ ଏକ ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗର ଡକାୟତ। ଗ୍ୟାଙ୍ଗର ଅନ୍ୟ ୧୧ ଜଣ ସଦସ୍ୟଙ୍କୁ ଗିରଫ କରାଯାଇପାରି ନାହିଁ ବୋଲି ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା କହିଛନ୍ତି। ରାଇନା ମଧ୍ୟ ଏହି ଅବସରରେ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ପଠାନକୋଟରେ ପହଞ୍ଚିଛନ୍ତି।
ଅଗଷ୍ଟ ୧୯ ତାରିଖ ରାତିରେ ପଠାନକୋଟର ଥାରୟାଲ୍ ଗ୍ରାମରେ ଏହି ଅଘଟଣ ଘଟିଥିଲା। ଡକାୟତଙ୍କ ଆକ୍ରମଣରେ ଘଟଣାସ୍ଥଳରେ ରାଇନାଙ୍କ ମାମୁଁ ଅଶୋକ କୁମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିଭଳି ଅଶୋକଙ୍କ ପୁଅ କୌଶଳ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବାବେଳେ ସ୍ତ୍ରୀ ଆଶାରାଣୀ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାପ୍ରତି ଧ୍ୟାନ ଦେବାକୁ ସେତେବେଳେ ରାଇନା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କୁ ଅନୁରୋଧ କରିଥିଲେ। ଗିରଫ ହୋଇଥିବା ୩ଜଣ ସଦସ୍ୟ ରାଜସ୍ଥାନ ଝୁଞ୍ଜୁନର ବାସିନ୍ଦା ବୋଲି ଜଣାପଡ଼ିଛି।