ରବିବାର ଦକ୍ଷିଣମୋଡ଼, ଯାଞ୍ଚ ହେଲା ତିନି ରଥ

ପୁରୀ ଅଫିସ, ୨୭।୬: ନବ ଦିନାତ୍ମକ ଯାତ୍ରାରେ ଆସି ଆଡପ ମଣ୍ଡପରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ବାହୁଡ଼ା ଯାତ୍ରାରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଚତୁର୍ଦ୍ଧାବିଗ୍ରହ। ସେଥିଲାଗି ରବିବାର ତିନି ରଥର ଦକ୍ଷିଣ ମୋଡ କରାଯିବ। ଏଥିପାଇଁ ଶନିବାର ତିନି ରଥର ଯାଞ୍ଚ ଶେଷ ହୋଇଛି। ରଥଯାତ୍ରାରେ ବଡ଼ଦାଣ୍ଡରେ ଗଡ଼ି ଗଡ଼ି ଆସିବା ବେଳେ ତିନି ରଥରେ କ’ଣ କ’ଣ ତ୍ରୁଟି ରହିଛି ତାହାକୁ ମହାରଣା ସେବକ, କମାର ସେବକ ଏବଂ ରଥ ନିର୍ମାଣ କମିଟିର ସଦସ୍ୟମାନେ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି, କୌଣସି ରଥରେ ସେମିତି କିଛି ଗୁରୁତର ମରାମତିର ଆବଶ୍ୟକତା ନାହିଁ। ଛୋଟ ଧରଣର ମରାମତି ଦରକାର ଥିଲା। ତାହା ଶେଷ ହୋଇଛି। ତିନି ରଥ ଏବେ ଦକ୍ଷିଣ ମୋଡ ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ମେକାପ ସୂଚନା ଦେଇଛନ୍ତି।