ତୃତୀୟ ସନ୍ତାନ ପ୍ରସବ କଲେ ମିଳିବ ୧୧ ଲକ୍ଷ ଟଙ୍କା!

ବେଜିଂ,୩୦ ।୧: ଜନସଂଖ୍ୟାରେ ସନ୍ତୁଳନ ରକ୍ଷା କରିବାକୁ ଏବେ ଚାଇନା ସରକାର ତୃତୀୟ ସନ୍ତାନ ପ୍ରସବ କରୁଥିବା ଦମ୍ପତିଙ୍କୁ ଅନେକ ସୁବିଧା ଯୋଗାଇ ଦେଉଥିବା ଜଣାପଡିଛି । ୨୦୨୧ରେ ଲାଗୁ କରାଯାଇଥିବା ୩ ସନ୍ତାନ ପ୍ରସବ ନୀତି ଅନୁଯାୟୀ, ମାତାପିତାଙ୍କୁ ବେବି ବୋନସ, ସବେତନ ଅବକାଶ, ଟ୍ୟାକ୍ସରେ ରିହାତି, ସନ୍ତାନ ପାଳନ ପୋଷଣରେ ସୁବିଧା ଏହାସହ ଅନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଇସ୍ରାଏଲର ସେଣ୍ଟର ଅଫ୍ ପଲିଟିକାଲ ଆଣ୍ଡ ଫରେନ ଆଫେୟାର୍ସର ମୁଖ୍ୟ ଫେବିୟନ ବୁସାର୍ଟ ଟାଇମ୍ସ ଅଫ୍ ଇସ୍ରାଏଲରେ ଲେଖିଥିବା ବ୍ଲଗରେ ପ୍ରକାଶ କରିଛନ୍ତି । କୁହାଯାଉଛି କି ଚାଇନା ସରକାର ୩ ସନ୍ତାନ ପ୍ରସବ କରିବା ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ଅଧିକାରୀ ଓ ବିଭିନ୍ନ ସଙ୍ଗଠନକୁ ଦାୟିତ୍ୱ ଦେଇଛନ୍ତି ।
ବ୍ଲଗରେ ଦର୍ଶାଯାଇଛି କି ବେଜିଂ ଡେବିନାଂଗ ଟେକ୍ନୋଲୋଜି ଗ୍ରୁପ ତା’ର କର୍ମଚାରୀଙ୍କୁ ସନ୍ତାନ ପ୍ରସବ କରିବାକୁ ୯୦ ହଜାର ୟୁଆନ (ପ୍ରାୟ ୧୧.୫୦ଲକ୍ଷ ଟଙ୍କା) ନଗଦ ଧନରାଶୀ, ୧୨ ମାସରୁ ଅଧିକ ମାତୃତ୍ୱ ଓ ପିତୃତ୍ୱ ଅବକାଶ ଦେଉଛି । ସେହିପରି ଅନଲାଇନ ସୁବିଧା ଦେଉଥିବା କମ୍ପାନୀ ଟ୍ରିପଡାଟକମ ତା’ର କର୍ମଚାରୀଙ୍କର ସନ୍ତାନ ପ୍ରସବର ସମସ୍ତ ଖର୍ଚ୍ଚ ବହନ କରୁଛି । ତେବେ ଶାସକ କମ୍ୟୁନିଷ୍ଟପାର୍ଟିର ନିର୍ଦ୍ଦେଶରେ କମ୍ପାନୀମାନେ ଏସବୁ କରୁଥିବା କୁହାଯାଉଛି । ଦେଶରେ ଯୁବକଙ୍କ ସଂଖ୍ୟାରେ କମ୍ ଓ ଏହା ଦେଶର ପ୍ରଗତିରେ ବାଧକ ସାଜିବ ବୋଲି ଚିନ୍ତା କରି କମ୍ୟୁନିଷ୍ଟ ପାର୍ଟି ଏଭଳି କରୁଛି ।

Share