ଜନ୍ମବେଦିକୁ ଗଲେ ତିନି ଠାକୁର

ଧର୍ମଶାଳା,୨୧ା୬(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ୯ଦିନ ପାଇଁ ମାଉସୀ ମା’ ଘରକୁ ଯାତ୍ରା କରିଛନ୍ତି। ବ୍ଲକର ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଡା. ବିଜୟ କୁମାର ଶତପଥୀ ଓ ନିରଞ୍ଜନ ପାଣିଗ୍ରାହୀଙ୍କ ନେୃତ୍ୱତ୍ୱରେ ସେବାୟତମାନେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରିବାପରେ ପୂଜାର୍ଚ୍ଚନା କରାଯାଇଥିଲା। ଧର୍ମଶାଳା ମୁନ୍‌ସୀମିଳନ କମିଟି ଓ ଶ୍ରୀଜଗନ୍ନାଥ ମନ୍ଦିର କମିଟି ସଭାପତି ତଥା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଛେରାପହଁରା କରିବା ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା ଆରମ୍ଭ ହୋଇଥିଲା। ୧୬ନଂ. ଜାତୀୟ ରାଜପଥ ଦେଇ ରଥ ଜାରକା ବଜାର, ବୁଦ୍ଧଛକ, ଶାନ୍ତିବଜାର ଓ ଧର୍ମଶାଳା ବଜାର ଦେଇ ଧର୍ମଶାଳା ହାଟ ପଡିଆସ୍ଥିତ ମାଉସୀ ମା’ମନ୍ଦିରରେ ସନ୍ଧ୍ୟାରେ ପହଞ୍ଚତ୍ଥିଲା। ଆଖପାଖ ଅଞ୍ଚଳର ଶହଶହ ପୁରୁଷ ଓ ମହିଳା ଭକ୍ତ ଯୋଗଦେଇ ରଥ ଟାଣିଥିଲେ। ମହିଳାମାନେ ରାସ୍ତାରେ ମୁରୁଜ ପକାଇବା ସହ କଳସ ବସାଇ ଠାକୁରଙ୍କୁ ବନ୍ଦାପନା କରିଥିବା ଦେଖିବାକୁ ମିଳିଥିଲା। ଅବସରପ୍ରାପ୍ତ ସିଡିଏମଓ ଡା. ବିଜୟ କୁମାର ଶତପଥୀ, ମୁନ୍‌ସୀମିଳନ କମିଟି ସମ୍ପାଦକ ଜଳଧର ମହାନ୍ତି, ବସନ୍ତ ପରିଡ଼ା, ସୁଦୀପ୍ତ ସ୍ବାଇଁ, ମନ୍ଦିର କମିଟି ପକ୍ଷରୁ ପ୍ରସନ୍ନ ବରାଳ, ଇନ୍ଦ୍ରମଣି ମହାନ୍ତି, ଅନିରୁଦ୍ଧ ରାଉତ, ଗଜେନ୍ଦ୍ର ବେହେରା, ସବ୍ୟସାଚୀ ବେହେରା, ପ୍ରସନ୍ନ ପାଳ, ମନୋଜ ରଣା, କାର୍ତ୍ତିକ ଚନ୍ଦ୍ର ସ୍ବାଇଁ, କେଳୁଚରଣ ନାୟକ, ଅଶୋକ ଜେନା, ଜିତେନ୍ଦ୍ର ସାମଲ, କଳ୍ପତରୁ ସାହୁ, ବିଜୟ ନାୟକ ଓ ପ୍ରଦୀପ୍ତ ରାଉତ ପ୍ରମୁଖ କମିଟି ସଭ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ସେହିପରି ଧର୍ମଶାଳା ବ୍ଲକର ମଧୁପୁରଗଡ଼ଠାରେ ରାଜଜେମା ଅପର୍ଣ୍ଣା ଧୀରସିଂ ଭରଦ୍ୱାଜ ଛେରାପହଁରା କରିଥିଲାବେଳେ ଚୌଷଠିପଡ଼ା, ବଳରାମପୁରଗଡ଼, କବାଟବନ୍ଧ, ତଳଗଡ଼, ନରସିଂହପୁର, ଭବାନୀପୁର, ଛେଳିଆପଦା, ଅଚ୍ୟୁତପୁର, ସାଥୁଆପାଟଣା, ଦଣ୍ଡାଘାଟି ଓ ରାମପୁର କଇଥା ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଧର୍ମଶାଳା ଓ ଜେନାପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୯ଦିନ ବ୍ୟାପୀ ଧର୍ମଶାଳା ହାଟପଡ଼ିଆ ମାଉସୀ ମା’ ମନ୍ଦିର ପରିସରରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share