ଜୟପୁର,୧୮ା୭: ରାଜସ୍ଥାନର ଯୋଧପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଘଟିଛି। ୩ଜଣ କଲେଜ ଛାତ୍ର ଜଣେ ଦଳିତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ସମ୍ମୁଖରେ ବଳାତ୍କାର କରାଯାଇଥିବା ଜଣାପଡିଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ପରସ୍ପରକୁ ବିବାହ କରିବା ପାଇଁ ଆଜମେରରୁ ଯୋଧପୁର ଆସିଥିଲେ। ପରେ ସେମାନେ ଗେଷ୍ଟହାଉସ୍ରେ ରହିବା ପାଇଁ ରୁମ୍ ବୁକ୍ କରିବାକୁ ଯାଇଥିଲେ। ହେଲେ ସେମାନେ ରୁମ୍ ନ ପାଇ ବାହାରେ ଛିଡ଼ା ହୋଇଥିଲେ। ସେତିକିବେଳେ ୩ଜଣ କଲେଜ ଛାତ୍ର ତାଙ୍କ ପାଖରେ ପହଞ୍ଚି ଥିଲେ। ପରେ ଖାଦ୍ୟ ଦେବା ସହ ଘର ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ସେମାନେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ସେମାନେ ପ୍ରେମୀଯୁଗଳଙ୍କୁ ଏକ ହକି ପଡ଼ିଆକୁ ନେଇଯାଇଥିଲେ। ସେଠାରେ ୩ଜଣ ଛାତ୍ର ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।