Categories: ଜାତୀୟ

କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ପରିବାରର ୩ ମୃତ

ଚେନ୍ନାଇ,୨୮।୬: କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଆର୍‌.କଲ୍ୟାଣସୁନ୍ଦରମ୍‌ ଏବଂ ସାବରି।

ପୋଲିସ ସୂଚନା ମୁତାବକ, ଇରୋଡର ସ୍ଥିତ କୀଜଭାନି ଗ୍ରାମର ଆର୍‌.କଲ୍ୟାଣସୁନ୍ଦରମ୍‌ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ କରୁଙ୍ଗୁଣ୍ଡାନଭାଲାସୁ ଗ୍ରାମର କରପୁପାନ କାଉଣ୍ଡରଙ୍କ ନିକଟରୁ କିଛି ମାସ ତଳେ ୧୫ ଲକ୍ଷ ଟଙ୍କା ଧାର ନେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଆର୍‌.କଲ୍ୟାଣସୁନ୍ଦରମ୍‌ ଟଙ୍କା ଫେରସ୍ତ କରିବାକୁ ଅସମର୍ଥ ହୋଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ପ୍ରତିଶୋଧ ପରାୟଣ ହୋଇ କଲ୍ୟାଣସୁନ୍ଦରମ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏପରି କି କରପୁପାନଙ୍କ ପରିବାରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ସାବରି ନାମକ ଜଣେ ଯୁବକଙ୍କ ସହାୟତା ନେଇଥିଲେ। ସାବରି ସ୍ବାସ୍ଥ୍ୟକର୍ମୀ ଭାବେ ନିଜକୁ ପରିଚୟ ଦେଇ କୋଭିଡ୍‌ ଆରୋଗ୍ୟ ବଟିକା ଦେବାପାଇ କରପୁପାନଙ୍କ ଘରେ ପହଞ୍ଚିଥିଲେ। ପରେ ସେ କରପୁପାନଙ୍କ ପରିବାର ୪ଜଣଙ୍କୁ ବଟିକା ଦେଇଥିଲେ।

ବଟିକା ଖାଇବା ପରେ କରପୁପାନ, ତାଙ୍କର ସ୍ତ୍ରୀ ମଲ୍ଲିକା, ଝିଅ ଦୀପା ଓ ପରିବାର ସହାୟିକା କୁପାଲ ଗୁରୁତର ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ବିଷ କ୍ରିୟାରେ ମଲ୍ଲିକା, ଦୀପା ଓ କୁପଲଙ୍କ ମୃତ୍ୟୁ ଘଟିଥିବା ବେଳେ କାରୁପାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ପରେ ଅଭିଯୁକ୍ତ କଲ୍ୟାଣସୁନ୍ଦରମ ଓ ସାବରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share