ଟ୍ରାକ୍ଟର ଚକା ଲିକ୍‌ ହେବାରୁ ଚାଲିଗଲା ୩ ଜୀବନ

ମାଲକାନଗିରି,୨୨ା୮(ଡି.ଏନ୍‌.ଏ.): ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ ଏମ୍‌ଭି-୧୬ ଗ୍ରାମ ନିକଟରେ ଏକ ଟ୍ରାକ୍ଟରକୁ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରାକ୍ଟରରେ ଥିବା ୩ ଜଣଙ୍କ ମୃତ୍ୟୁ ଘଟିଛି। ୨ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ମୁଣ୍ଡାଗୁଡା ଗ୍ରାମର ରୁଦ୍ର ନାୟକ, ଗଉଡଗୁଡା ଗ୍ରାମର କିଶୋର ଗୌଡ ଓ ଲକ୍ଷ୍ମଣ ଗୌଡ।
ଖବରରୁ ଜଣାପଡ଼ିଛି ଯେ, କାଲିମେଳାରୁ ଏକ ଚିପ୍ସ ବୋଝେଇ ଟ୍ରାକ୍ଟର ମାଲକାନଗିରି ଆସୁଥିବା ବେଳେ ଶନିବାର ରାତିରେ ଏମ୍‌ଭି-୧୬ ଗ୍ରାମ ନିକଟରେ ଚକ ଲିକ୍‌ ହୋଇଯାଇଥିଲା ଡ୍ରାଇଭର ଟ୍ରାକ୍ଟରକୁ ରାସ୍ତା ପାର୍ଶ୍ୱରେ ରଖି ବିଶ୍ରାମ ନେଉଥିଲେ। ଏହି ସମୟରେ ଆନ୍ଧ୍ରରୁ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଫଳରେ ଟ୍ରକ୍ଟରରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ। ଖବରପାଇ ମାଲକାନଗିରି ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ରୁଦ୍ର ଓ କିଶୋରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ତେବେ ପାଣ୍ଡ୍ରିପାଣିଠାରେ କିଶୋରଙ୍କ ମୃତ୍ୟୁ ହୋଇଥିଲା। କୋରାପୁଟରେ ରୁଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରବିବାର ମାଲକାନଗିରିରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।