
ଏଇ ପୃଥିବୀରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ନାନା ବାଧାବିଘ୍ନ ସହି ସଫଳତା ହାସଲ କରନ୍ତି ଓ ଇତିହାସ ରଚନ୍ତି। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟ, ତଲାଜା ଥାଲୁକାର ୨୩ ବର୍ଷୀୟ ଗଣେଶ ବରୈୟା। ଗଣେଶଙ୍କ ଉଚ୍ଚତା ମାତ୍ର ୩ ଫୁଟ। ଏହି ଉଚ୍ଚତା ପାଇଁ ଛୋଟବେଳୁ ତାଙ୍କୁ ଅନେକ ତାଚ୍ଛଲ୍ୟ ଓ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିଛି। ତଥାପି କଠିନ ପରିଶ୍ରମ କରି ସେ ହୋଇପାରିଛନ୍ତି ଡାକ୍ତର। ଆଉ ପୃଥିବୀର ସବୁଠାରୁ ଛୋଟ ଡାକ୍ତରଭାବେ ପରିଚିତ ହେଉଛନ୍ତି। ପିଲାଦିନେ କମ୍ ଉଚ୍ଚତା ଓ ବଡ଼ ମୁଣ୍ଡ ପାଇଁ ସହପାଠୀମାନେ ଚିଡାଉଥିଲେ। ବାପା ବିଠଲ୍ ଭାଇ ଜଣେ କୃଷକ ଥିଲେ। ସ୍ବଳ୍ପ ରୋଜଗାରରେ ଘର ଚଳୁଥିଲା। ଥରେ ଏକ ସର୍କସ ପାର୍ଟି ଗଣେଶଙ୍କୁ ନେବା ପାଇଁ ବାପା ବିଠଲ୍ଙ୍କୁ ଏକ ଲକ୍ଷ ଟଙ୍କାର ଅଫର୍ ଦେଇଥିଲେ। ଏଥିରେ ଗଣେଶଙ୍କ ବାପା ବହୁତ ଦୁଃଖିତ ହୋଇଥିଲେ। ପୁଅକୁ କୁଆଡ଼େ ବି ଏକା ଯିବାକୁ ଦେଇ ନ ଥିଲେ। ଗଣେଶ ଭଲ ପଢୁଥିଲେ। ତେଣୁ ସଫଳତାର ସହ ଆଗକୁ ବଢି ଚାଲିଲେ। ପିଲାଦିନୁ ଡାକ୍ତର ହେବାର ସ୍ବପ୍ନ ଥିଲା। ତେଣୁ ସେ ଦିଗରେ ପଢିବାକୁ ଲାଗିଲେ। ପରେ ଏବିବିଏସ୍ ପାଇଁ ଆବେଦନ କଲେ। ହେଲେ ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ ତାଙ୍କ କମ୍ ଉଚ୍ଚତା ପାଇଁ ଆବେଦନ ରଦ୍ଦ କରିଦେଲେ। ଏହା ତାଙ୍କ ପ୍ରତି ଅନ୍ୟାୟ ବୋଲି ମନେ କରି ସେ ନିଜ ସ୍କୁଲ ପ୍ରିନ୍ସିପାଲଙ୍କ ସାହାଯ୍ୟରେ କଲେକ୍ଟର, ରାଜ୍ୟ ଶିକ୍ଷା ମନ୍ତ୍ରୀ ଏବଂ ଗୁଜରାଟ ହାଇକୋର୍ଟ ପର୍ଯ୍ୟନ୍ତ ଗଲେ। ହେଲେ କେଉଁଠାରୁ ସାହାଯ୍ୟ ମିଳିବା ନ ଥିଲା। ପରେ ସେ ସୁପ୍ରିମକୋର୍ଟ ଗଲେ। ୨୦୧୮ରେ ସୁପ୍ରିମକୋର୍ଟ ଗଣେଶଙ୍କ ସପକ୍ଷରେ ରାୟ ଶୁଣାଇଲେ। ୨୦୧୯ରେ ଗଣେଶ ଏମ୍ବିବିଏସ୍ରେ ଆଡ୍ମିଶନ ହେଲେ। ପରେ ଭବାନୀ ନଗରର ସର୍-ଟି ହସ୍ପିଟାଲରେ ଇଣ୍ଟର୍ନଶିପ କଲେ। ଗଣେଶ କହନ୍ତି,”ପ୍ରଥମେ ତ ରୋଗୀ ମତେ ଦେଖି ଚକିତ ହୋଇ ଯାଉଥିଲେ। ଡାକ୍ତର ବୋଲି ବିଶ୍ୱାସ କରୁ ନ ଥିଲେ। ହେଲେ ଯେବେ ମୋର ରୋଗୀ ଦେଖିବା ଶୈଳୀ ଓ ପ୍ରତିଭା ଜାଣିଲେ ମୋ ପ୍ରତି ସେମାନଙ୍କ ମନୋଭାବ ବଦଳିଲା।“