ଡ୍ରାଇଭରଙ୍କୁ ଛୁରାମାଡ଼ କରି ନେଇଯିବାକୁ ବସିଥିଲେ କାର

ଦେବଗଡ଼,୧୫।୧ (ଡି.ଏନ୍‌. ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଚଟି ବରଘାଟ – ତିଳେଇବଣି ୪୯ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭଡା କାରର ଡ୍ରାଇଭରଙ୍କୁ ଛୁରାମାଡ଼ ହୋଇଛି। ପରେ କାର ଲୁଟ ଉଦ୍ୟମ ହେଉଥିବା ବେଳେ ସୂଚନାପାଇ ଜିଲା ପୋଲିସ ସ୍ପେଶାଲ ଟାକ୍ସ ଫୋର୍ସ ୩ ଲୁଟେରାଙ୍କୁ କାବୁ କରିଥିଲେ। ଅନ୍ୟପକ୍ଷରେ ଛୁରାମାଡ଼ରେ ଗୁରୁତର ଡ୍ରାଇଭର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଶୁକ୍ରବାର ସମ୍ବଲପୁର ଅଇଁଠାପାଲି ଅଞ୍ଚଳର ପ୍ରେମଚାନ୍ଦ ପ୍ରାସାଦଙ୍କ ସ୍ବିଫ୍ଟ କାରକୁ ଦେବଗଡ଼ ଅଞ୍ଚଳର ୩ ଜଣ ଯୁବକ ଭଡାରେ ସମ୍ବଲପୁରରୁ ଦେବଗଡ଼କୁ ଆଣିଥିଲେ। ତେବେ ବିଳମ୍ବିତ ରାତିରେ ଗାଡି ଚାଳକ ରାଜୁ ଖାଁଙ୍କ ଗଳାରେ ଛୁରା ଓ ପିସ୍ତଲ ଦେଖାଇ ଲୁଟ୍‌ କରିବା ସହ ଗାଡି ଚାବି ଛଡ଼ାଇ ନେଇ ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଏସ୍‌ପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ସ୍ପେଶାଲ ଟାକ୍ସ ଫୋର୍ସ ଚଢ଼ାଉ କରି ଘଟଣାସ୍ଥଳରୁ ତିନିଜଣ ଲୁଟେରାଙ୍କୁ କାବୁ କରିବା ସହ ଗାଡିକୁ ଜବତ କରି ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରେ ଲୁଟେରାମାନେ ଦେବଗଡ଼ ଜିଲା ଡ଼ଙ୍ଗା ଘାଟ ଗ୍ରାମର ରିତୁ ପେଣ୍ଠେଇ, ଶଙ୍କର ପେଣ୍ଠେଇ ଓ ଅଶୋକ ମହାକୁଳ ବୋଲି ଜଣା ପଡ଼ିଛି ।