ଗୋଟିଏ ପରିବାରର ମା’-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା, ବେକରେ ରହିଛି ନଖ ଚିହ୍ନ

ଝାରସୁଗୁଡ଼ା ଅଫିସ,୨୨ା୯: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ନାରାୟଣ ପୋଦାରଙ୍କ ସ୍ତ୍ରୀ ସୋନି ପୋଦାର(୩୦),ବଡ ଝିଅ ରାଧିକା(୫) ଓ ସାନ ଝିଅ ମୁସ୍କାନ(୩)ବୋଲି ଜଣାପଡ଼ିଛି। ମୃତ ମହିଳା ସୋନିଙ୍କ ଗଳାରେ ନଖ ଚିହ୍ନ ରହିଥିବା ବେଳେ ୨ ଝିଅଙ୍କ ମୁହଁଁରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି। ଖବରପାଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ ଓ ଅତିରିକ୍ତ ଏସ୍‌ପି କେଶବ ଚନ୍ଦ୍ର ବେହେରା, ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍‌ ପ୍ରମୁଖ ପୋଲିସ ଅଧିକାରୀ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୋଲିସ ମୃତଦେହ ଜବତ କରି ଝାରସୁଗୁଡ଼ା ବ୍ୟବେଚ୍ଛଦ ପାଇଁ ପଠାଇଛି। ଏନେଇ ବ୍ରଜରାଜନଗର ଥାନା କେସ(୨୬୯/୨୧)ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ପୋଲିସ ସନ୍ଦେହ କରି ମହିଳାଙ୍କ ଦିଅରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ମହିଳାଙ୍କ ସ୍ବାମୀ ନାରାୟଣ ଫେରାର ଅଛନ୍ତି। ସ୍ବାମୀ ନାରାୟଣଙ୍କ ପ୍ରକୃତ ଘର ଛତିଶଗଡ଼ ଅଞ୍ଚଳ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲାଣି ପରିବାର ସହ ବ୍ରଜରାଜନଗରରେ ଏକ ଭଡ଼ାଘରେ ବସବାସ କରି ଦିନମଜୁରିଆ ହିସାବରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଏଭଳି ସ୍ଥିତିରେ କିଏ ଓ କାହିଁକି ମହିଳାଙ୍କ ସମେତ ୨ଝିଅଙ୍କୁ ହତ୍ୟା କଲା ଏହା ଏବେ ଅସ୍ପଷ୍ଟ ରହିଛି। ଏନେଇ ଏସ୍‌ପି ଦାସ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଛି ବହୁଶୀଘ୍ର ଏହାର ପର୍ଦ୍ଦାଫାଶ କରାଯିବ ବୋଲି କହଛନ୍ତି।