ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍‌ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।

ମୃତକ ହେଲେ ଘଟଗାଁ ଥାନା ଆମ୍ବୁଆପଡ଼ା ଗ୍ରାମର ତ୍ରିଲୋଚନ ମହାନ୍ତ, ପାଟଣା ଥାନା ସୋରାସକେଲା ଗ୍ରାମର ରମାକାନ୍ତ ନାଏକ ଏବଂ ରୁଢ଼ିଆପଡା ଗ୍ରାମର ସୁନିଲ ଦାସ। ଗୁରୁତର ଜଣକ ହେଉଛନ୍ତି ମୂଷାଖରୀ ପଞ୍ଚାୟତ ପଡ଼ିଆପଶି ଗ୍ରାମର କମଳାକାନ୍ତ ମହାନ୍ତ।

ମିଳିଥିବା ସୂଚନା ମୁତାବକ, ସୋମବାର ବିଳମ୍ବିତ ରାତିରେ ସୁନିଲ ଏବଂ ରମାକାନ୍ତ ଏକ ବାଇକ୍‌ରେ ପାଟଣା ଆସୁଥିଲେ। ସେତିକିବେଳେ ବିପରିତ ଦିଗରୁ ତ୍ରିଲୋଚନ ଓ କମଳାକାନ୍ତ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ବେଳେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାଟଣା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share