ପାଟଣା,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ବୁଧବାର ସକାଳୁ ରକ୍ତମୁଖା ହୋଇପଡ଼ିଛି ଏକ ଭାଲୁ। ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡୁଛି। ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରୁ ୨ ଜଣ ପ୍ରଥମେ ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି ବାଉଁଶନାଳି ଗ୍ରାମର ନୀଳକଣ୍ଠ ମହାନ୍ତ(୫୦), କମାରମରା ଗ୍ରାମର ଶେଖର ମହାନ୍ତ(୪୭) ଓ କାଳିଆଦୁମା ଗ୍ରାମର ମାଜୁରା ସିଦ୍ଧୁ(୮୦)। ଭାଲୁକୁ ଲୋକେ ଗୋଡ଼େଇବାରୁ ସେ ହିଂସ୍ର ହୋଇ ପ୍ରଥମେ ଘର ନିକଟରେ ଥିବା ନୀଳକଣ୍ଠଙ୍କୁ ଆକ୍ରମଣ କରିବା ପରେ କମାରମରା ଗାଁରେ କାଜୁବଗିଚାରେ ଥିବା ଶେଖରଙ୍କୁ ଆକ୍ରମଣ କରିଥିଲା। ପରେ ଭାଲୁଟି କାଳିଆଦୁମା ଗାଁ ପଡ଼ିଆରେ ଛେଳି ଚରାଉଥିବା ବୃଦ୍ଧ ମାଜୁରା ସିଦ୍ଧୁଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ମୁହଁ ,ହାତ, ଗୋଡ଼ ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏବେ ଗାଁ ନିକଟରେ ଭାଲୁ ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଭାଲୁଟି ଏବେ କମାରମରା ଗାଁ ଜଙ୍ଗଲରେ ରହିଥିବା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛି। ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପକ୍ଷରୁ ବନପାଳ ମୋହିନୀ ମହାନ୍ତଙ୍କ ନେତୃତ୍ୱରେ ପାରା ଷ୍ଟାଫ୍ ଓ ଗାର୍ଡ ପହଞ୍ଚି ଡାକବାଜି ଯନ୍ତ୍ରରେ ଭାଲୁକୁ ନ ଗୋଡ଼ାଇବା ପାଇଁ ନିବେଦନ କରାଯାଉଛି। ଭାଲୁକୁ ଘଉଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।