ଦୁର୍ଘଟଣାରେ ୩ ପୋଲିସ ମୃତ

ନବରଙ୍ଗପୁର/ପାପଡାହାଣ୍ଡି, ୧୮।୨(ବି.ପ୍ର./ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ଅଧୀନ ସୋରିଷପଦରଠାରେ ଶୁକ୍ରବାର ରାତିରେ ପୋଲିଂ ପାର୍ଟିଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପାପଡାହାଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ସୂଚନାନୁଯୟୀ, ୨୦ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୋଟିଏ ବସ୍‌ (ଓଡ଼ି-୦୫କେ-୦୧୦୫)ରେ ନବରଙ୍ଗପୁର ରିଜର୍ଭ ଅଫିସରୁ ପ୍ରାୟ ୩୬ ଜଣ ପୋଲିସ (ଗ୍ରାମରକ୍ଷୀ ଓ ଗୃହରକ୍ଷୀ) କୋଷାଗୁମୁଡାକୁ ଯାଉଥିଲେ। ଏହି ସମୟରେ ପାପଡାହାଣ୍ଡି ସୋରିଷପଦର ନିକଟ ବୁଲାଣିଆ ରାସ୍ତାରେ ବସ୍‌ଟି ଓଲଟି ପଡିଥିଲା। ସମସ୍ତ ପୋଲିସ କର୍ମଚାରୀ ବସ୍‌ ତଳେ ଚାପି ହୋଇ ଯାଇଥିଲେ। ଏଥିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌କୁ ଉଠାଯାଇଛି। ପାପଡାହାଣ୍ଡି ଥାନାଧିକାରୀ ପୋଲିସ ଓ ଦମକଳ ବାହିନୀ ସହ ଘଟଣାସ୍ଥଳରେ ପହଞ୍ଚତ୍ ଆହତଙ୍କୁ ଉଦ୍ଧାର କରିଛନ୍ତି।

Share