କଟୁରି ଚୋଟରେ ପରିବାରର ୩ ଗୁରୁତର

ଲଙ୍ଗଳେଶ୍ବର,୧୮ା୯(କମଳାକାନ୍ତ ଦାସ): ବାଲେଶ୍ବର ଜିଲା ସିଂଲା ଥାନା ଅଧୀନ ଲଙ୍ଗଳେଶ୍ବର ଗ୍ରାମରେ ଘରୋଇ କଳହକୁ କେନ୍ଦ୍ରକରି ରକ୍ତାକ୍ତ ସଂଘର୍ଷ ଘଟିଛି। ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଲଙ୍ଗଳେଶ୍ବର ଗ୍ରାମର ସୁଶାନ୍ତ ଗିରି ସନ୍ଧ୍ୟାରେ କୌଣସି କଥାକୁ ନେଇ ତାଙ୍କ ମା’ ସାବିତ୍ରୀଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସୁଶାନ୍ତ ଏକ କଟୁରିରେ ସାବିତ୍ରୀଙ୍କ ମୁଣ୍ତକୁ ହାଣି ଦେଇଥିଲେ। ସାବିତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଭାଉଜ କବିତାଙ୍କୁ ମଧ୍ୟ ସୁଶାନ୍ତ ଆକ୍ରମଣ କରିଥିଲେ। ପରେ ବଡ଼ ଭାଇ ଗୋପାଳ ପହଞ୍ଚି କ’ଣ ପାଇଁ ଆକ୍ରମଣ କଲୁ ବୋଲି ସୁଶାନ୍ତଙ୍କୁ ପଚାରିବାରୁ ତାଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ଗାଳିଗୁଲଜ ସହ ଆକ୍ରମଣ କରିବାରୁ ଗୋପାଳ ଉତ୍‌କ୍ଷିପ୍ତ ହୋଇ କଟୁରିରେ ସାନ ଭାଇ ସୁଶାନ୍ତଙ୍କ ମୁଣ୍ତକୁ ହାଣି ଦେଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ସାନ ଭାଇଙ୍କୁ ଆକ୍ରମଣ ଅଭିଯୋଗରେ ବଡ଼ ଭାଇ ଗୋପାଳଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।