ଗଳାକାଟି ହତ୍ୟା କରିଥିବା ଅଭିଯୁକ୍ତ ଧରାପଡ଼ିଲେ

ରାଉରକେଲା ଅଫିସ,୨୧।୧୦: ରାଉରକେଲା ସେକ୍ଟର-୧୯ ଅଞ୍ଚଳରେ ବୁଦା ଭିତରୁ ଗଳାକଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ପ୍ରଧାନ(୨୭), ଅଜୟ ଚୌଧୁରୀ(୪୭) ଏବଂ ସୁରେଶ ଚୌଧୁରୀ(୩୦)। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଛୁରି, ୨ଟି ଦୁଇ ଚକିଆ ଗାଡି (ନଂ. ଓଡ଼ି୧୪କେ୬୬୯୦ ଓ ନଂ.ଓଡ଼ି୧୪ଏମ୮୧୭୬) ଏବଂ ଗୋଟିଏ ବୋଲେରୋ (ନଂ. ଓଡି୧୪ଡବ୍ଲୁ୪୩୮୯)କୁ ଜବତ କରିଛି।
ସୂଚନାଯୋଗ୍ୟ, ସେକ୍ଟର-୬ ସ୍ଥିତ ବିଦ୍ୟାନଗର ବସ୍ତିର ମନୋରଞ୍ଜନ ନାଗ(୨୮) ଗତ ୧୪ ତାରିଖ ରାତିରେ ସାଙ୍ଗଙ୍କ ସହ ଦୁର୍ଗାପୂଜା ବୁଲିବାକୁ ଯାଇ ଘରକୁ ଫେରି ନ ଥିଲେ। ପରଦିନ ଅର୍ଥାତ୍‌ ୧୫ ତାରିଖରେ ସେକ୍ଟର-୫ ସ୍ଥିତ ଦୀପିକା ସ୍କୁଲ ପାଖ ଏକ ବୁଦା ଭିତରେ ଗଳାକଟା ଅବସ୍ଥାରେ ମନୋରଞ୍ଜନଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏ ନେଇ ସେକ୍ଟର-୭ ଥାନାରେ ମନୋରଞ୍ଜନଙ୍କ ମା’ ଗୀତା ନାଗ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୨୬/୨୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପୋଲିସ ଗୁରୁବାର ଅଭିଯୁକ୍ତ ଆକାଶଙ୍କୁ ମଧୁସୁଦନପାଲିରୁ ଗିରଫ କରିଛି। ହତ୍ୟା ସମୟରେ ବ୍ୟବହୃତ ଏକ ଧାରୁଆ ଛୁରି ଜବତ ହୋଇଥିବା ବେଳେ ଅଜୟଙ୍କୁ ସେକ୍ଟର-୬ ଏକତା କ୍ଲବ ବସ୍ତି ଓ ସୁରେଶଙ୍କୁ ସେକ୍ଟର-୬ ମହିମା ଆଶ୍ରମ ବସ୍ତିରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଅଭିଯୁକ୍ତ ସୁରେଶଙ୍କ ନାମରେ ସେକ୍ଟର-୭ ଥାନାରେ ଚୋରି, ଛିନ୍‌ତାଇ, ଡକାୟତି ଭଳି ଏକାଧିକ ମାମଲା ରହିଥିବାବେଳେ ଅଜୟଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଥିବା ଥାନାଧିକାରୀ ମାନସ ରଞ୍ଜନ ସ୍ବାଇଁ ସୂଚନା ଦେଇଥିଲେ।

Share