Categories: ଜାତୀୟ

କୁଲଗାମ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ, ୩ ଯବାନ ଆହତ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ଟଳିପଡ଼ିଥିବା ବେଳେ ୩ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, କୁଲଗାମ ଜିଲା ନାଗନାଦ ଚିମ୍ମେର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ସ୍ଥାନୀୟ ପୋଲିସ, ସେନା ଓ ସିଆର୍‌ଏଫ୍‌ ଯବାନଙ୍କ ମିଳିତ ଉଦ୍ୟମରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଭୟଭୀତ ହୋଇପଡ଼ି ସେମାନଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳିବିନିମୟରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ନିହତ ହୋଇଥିବା ଆତଙ୍କବାଦୀ ଜୈସ-ଏ-ମହମ୍ମଦ ସଂଗଠନର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଗୋଟିଏ ଏମ୍‌-୪ ରାଇଫଲ, ଗୋଟିଏ ଏକେ-୪୭, ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ବୋଲି ଡଜିପି ଦିଲବାଗ ସିଂହ ସୂଚନା ଦେଇଛନ୍ତି। ଅପରପକ୍ଷେ ଆଉ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

Share