Categories: ଖେଳ

‘ଅନ୍ୟମାନଙ୍କ ଅପେକ୍ଷା ମୋ ଉପରେ ତିନିଗୁଣା ଅଧିକ ବୋଝ’

କଲମ୍ବୋ,୧୦।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ମହାମୁକାବିଲା ଖେଳାଯିବ। ଏହି ସୁପର ଫୋର୍‌ ମ୍ୟାଚରେ ଉଭୟ ଦଳ ଜିତିବାକୁ ଚେଷ୍ଟା କରିବେ। ଗ୍ରୁପ ରାଉଣ୍ଡ ସମୟରେ ଦୁଇ ଦଳ ମଧ୍ୟରେ ହୋଇଥିବା ମ୍ୟାଚ ରଦ୍ଦ ହୋଇଥିଲା। ବର୍ଷା ଯୋଗୁ ଦ୍ୱିତୀୟ ଇନିଂସ ଖେଳାଯାଇ ପାରି ନ ଥିଲା। ବର୍ତ୍ତମାନ ସୁପର ଫୋର୍‌ ରାଉଣ୍ଡର ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ଫାଇନାଲ ପାଇଁ ନିଜର ଦାବିକୁ ଦୃଢ କରିବାକୁ ଚାହୁଁଥିବାବେଳେ ପାକିସ୍ତାନ ଦଳ ସୁପର ଫୋରରେ ନିଜର ସ୍ଥିତିକୁ ମଜଭୁତ କରିବାକୁ ଚେଷ୍ଟା କରିବ। ଏହି ମ୍ୟାଚ ପୂର୍ବରୁ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ପାଣ୍ଡ୍ୟା କହିଛନ୍ତି ଯେ,ଜଣେ ଅଲରାଉଣ୍ଡର ଭାବରେ ମୋର କାର୍ଯ୍ୟଭାର ଏକ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ କିମ୍ବା ବୋଲରଙ୍କ ତୁଳନାରେ ଦୁଇଗୁଣ କିମ୍ବା ବେଳେବେଳେ ତିନିଗୁଣା ଅଧିକ ବୋଝ ଥାଏ। ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଯେତେବେଳେ ଦଳର ଜଣେ ବ୍ୟାଟ୍ସମ୍ୟାନ ତାଙ୍କ ବ୍ୟାଟିଂ ଶେଷ କରିବା ପରେ କ୍ରିଜକୁ ଆସନ୍ତି, ସେତେବେଳେ ତାଙ୍କର କାମ ସମାପ୍ତ ହୋଇଯାଇଥାଏ। କିନ୍ତୁ ଏହା ପରେ ମୋତେ ପୁଣି ବୋଲିଂ କରିବାକୁ ପଡେ।
ପାକିସ୍ତାନ ବିପକ୍ଷରେ ବର୍ଷା ପ୍ରଭାବିତ ଓପନିଂ ମ୍ୟାଚ୍‌ରେ ଭାରତୀୟ ଦଳ ୨୬୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ସେହି ମ୍ୟାଚରେ ହାର୍ଦ୍ଦିକ ୮୭ ରନ କରିଥିଲେ।

Share