ଗଞ୍ଜାମ,୫।୨(ଡି.ଏନ୍.ଏ.): ଆସନ୍ତା ୨୦ ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଛି। ପ୍ରାର୍ଥୀମାନେ ଘର ଘର ବୁଲି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହି ବ୍ଲକ ୧୫ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏହି ବ୍ଲକ ଅଧୀନରେ ଦୁଇଟି ଜିଲା ପରିଷଦ ଆସନ ରହିଛି: ଯଥା ୧୪ ଓ ୧୫ ଜୋନ। ଏହି ଦୁଇଟି ଜିଲା ପରିଷଦ ଆସନ ମଧ୍ୟରୁ ୧୫ ନମ୍ବର ଜୋନ୍ରେ ଗତ ନିର୍ବାଚନରେ ଦଳୀୟ ନେତାଙ୍କ ଭୁଲ ବୁଝାମଣା ଯୋଗୁ ଏହି ଆସନଟି ଭାଜପା ହାତକୁ ଚାଲି ଯାଇଥିଲା। ଚଳିତବର୍ଷ ସମୀକରଣ ବଦଳିବ ନା ପୂର୍ବଭଳି ଅବସ୍ଥା ରହିବ ତାହା ଦେଖିବାକୁ ବାକି ରହିଲା। ଚଳିତ ନିର୍ବାଚନରେ ମଧ୍ୟ ବିଜେଡି, ବିଜେଡିର କଣ୍ଟା ସାଜିବ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଏହି ଜିଲା ପରିଷଦ ଜୋନରେ ୭ଟି ପଞ୍ଚାୟତ ରହିଛି। ସାତଟି ପଞ୍ଚାୟତ ମଧ୍ୟରୁ କାଇଁଚପୁର ପଞ୍ଚାୟତର ସନାତନ ବେହେରାଙ୍କୁ ଜିଲାପରିଷଦ ପ୍ରାର୍ଥୀ ଭାବେ ଦଳ ଚୟନ କରିଛି। ଉକ୍ତ ପଞ୍ଚାୟତର କିଛି ଅସନ୍ତୁଷ୍ଟ ବିଜେଡି ନେତା ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ହିଁ ଅଡୁଆରେ ପକାଇପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଅନ୍ୟପଟେ ୧୪ ନମ୍ବର ଜୋନର ଚିତ୍ର ସ୍ପଷ୍ଟ ଥିବା ଆଲୋଚନା ହେଉଅଛି । ଭୋଟ ଗଣତି ପରେ ତାହା ଜଣାପଡିବ ।