ଭୁବନେଶ୍ୱର, ୨୮।୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ବାର୍ ଆସୋସିଏଶନ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବ। ଶନିବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟିଂ ହେବ। ଏହି କ୍ରମରେ ଭୁବନେଶ୍ୱର ବାର୍ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାର କ୍ୟାମ୍ପେନିଂର ଶେଷଦିନ ଥିବାରୁ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କୁ ଧରି ଜୋରଦାର୍ ପ୍ରଚାର କରିଥିଲେ। ଭୋଟରଙ୍କଠାରୁ ସମର୍ଥନ ପାଇବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମୋଟ ୨୫ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ବାର୍ ସଭାପତି ଏବଂ ଉପସଭାପତି ପଦ ପାଇଁ ୩ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅଶୋକ କୁମାର ଛୋଟରାୟ, ଅଶୋକ କୁମାର ପାତ୍ର ଏବଂ ନନ୍ଦ ନନ୍ଦନ ଶତପଥୀ ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ଉପସଭାପତି ପଦ ପାଇଁ କବୀନ୍ଦ୍ର କୁମାର ବାରିକ, ରବି ପ୍ରସାଦ ନାୟକ, ସୁକାନ୍ତ ଚନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ୨ଜଣ ପ୍ରାର୍ଥୀ ମନୋଜ ନାୟକ, ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ପାଇଁ ଭାଗ୍ୟବତୀ ରାଉତରାୟ ଏବଂ ରଶ୍ମିରଞ୍ଜନ ମହାନ୍ତି, ସହ ସମ୍ପାଦକ ପଦ ପାଇଁ ଜ୍ୟୋର୍ତିମୟୀ ପଣ୍ଡା, ରଶ୍ମିଭୂଷଣ ମୁଖୀ, ସତ୍ୟ ପ୍ରକାଶ ଶତପଥୀ, କୋଷାଧ୍ୟକ୍ଷ ଭାବେ ଦୀପ୍ତି ପ୍ରକାଶ ନନ୍ଦ ଏବଂ ହିତେନ ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତେବେ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୦ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ମନୋନୀତ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱର ବାର୍ ଆସୋସିଏଶନ୍ର ୪,୧୦୫ ସଦସ୍ୟ ୨୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମାର୍ଚ୍ଚ ୫ରୁ ୧୦ ପର୍ଯ୍ୟନ୍ତ ନୋମିନେଶନ ଦାଖଲ ହୋଇଥିବାବେଳେ, ମାର୍ଚ୍ଚ ୧୧ଠାରୁ କ୍ୟାମ୍ପେନିଂ ଆରମ୍ଭ ହୋଇଥିଲା। ଅପରପକ୍ଷେ ପ୍ରାୟ ୩ହଜାର ପୋଲିଂ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ପୂର୍ବତନ ସମ୍ପାଦକ ରାଜକିଶୋର ଦାସ ସୂଚନା ଦେଇଛନ୍ତି।