ଗୋପାଳପୁର,୩୦ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧିନସ୍ଥ ହଳଦିଆପଦର ଗ୍ରାମ ରେଳ ଫାଟକଠାରେ ରବିବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଟ୍ରେନ ଧକ୍କାରେ ୩ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ମୃତକମାନେ ଛତିଶଗଡ଼ ରାଜ୍ୟର ବିଳାସପୁର ଟିକାରି ଥାନା ବେଦପ୍ରସାଦ ଗ୍ରାମର ବାପା ଲଖନୋ କଓ୍ବେର୍ତ୍ତା, ପୁଅ ଜଗେଶ୍ୱର କଓ୍ବେର୍ତ୍ତା ଓ ଅନ୍ୟ ଜଣେ ଲୋକେଶ୍ୱର କଓ୍ବେର୍ତ୍ତା ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ୧୬ ନଂ. ଜାତୀୟ ରାଜପଥ ପୁଇଁତୋଳା ଛକଠାରୁ ଗିରିସୋଲା ପର୍ଯ୍ୟନ୍ତ ଉନ୍ନତିକରଣ କାର୍ଯ୍ୟ ଚାଲୁ ରହିଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଅଟୋ ନଗର ନିକଟରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହି କାର୍ଯ୍ୟର କିଛି ଅଂଶ ଭୋଟ୍ ଏସୋସିଏଟସ୍ କମ୍ପାନୀ କରୁଥିଲା। ଛତିଶଗଡ଼ ରାଜ୍ୟ ବିଳାସପୁର ଅଞ୍ଚଳରୁ କିଛି ଶ୍ରମିକଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରିଥିଲା କମ୍ପାନୀ। ତେବେ ରବିବାର ରାତିରେ ୭ ଜଣ ଶ୍ରମିକ ନିଜ ରାଜ୍ୟକୁ ଫେରିଯିବା ଉଦ୍ଦେଶ୍ୟରେ ରେଳ ଧାରଣାରେ ଚାଲିଚାଲି ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ସାପ୍ତାହିକ ବିଶାଖାପାଟଣା-ଟାଟାନଗର ସ୍ପେଶାଲ ଟ୍ରେନ ପଛପଟୁ ଆସୁଥିଲା। ଟ୍ରେନ ଆସୁଥିବା ଜାଣି ରେଳ ଫାଟକର ଗେଟ୍ମ୍ୟାନ ପାଟି କରିଥିଲେ। ଏହି ସମୟରେ ତିନିଜଣଙ୍କୁ ଟ୍ରେନ ଧକ୍କା ଦେବାରୁ ସେମାନେ ୨୦୦ ମିଟର ଦୂରତାରେ ଛିଟିକି ହୋଇପଡ଼ିଥିଲେ।
ସୌଭାଗ୍ୟବଶତଃ ୪ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଏଭଳି ଭୟଙ୍କର ଦୁର୍ଘଟଣା ଦେଖି ବର୍ତ୍ତିଯାଇଥିବା ଶ୍ରମିକମାନେ ସେଠାରୁ ଚାଲି ଯାଇଥିଲେ। ଖବର ପାଇ ସୋମବାର ବ୍ରହ୍ମପୁର ଜିଆରପି ଓ ଆର୍ପିଏଫ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ରହ୍ମପୁର ଜିଆରପି ପୋଲିସ ୩ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲା। ଘଟଣାସ୍ଥଳରୁ ଏକ ମୋବାଇଲ ମଧ୍ୟ ମିଳିଛି। ଏନେଇ ଜିଆରପି ଥାନା ପୋଲିସ ୪୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକଙ୍କ ପରିବାର ଲୋକ ପହଞ୍ଚିଲେ ପରିଚୟ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।