ଓଡ଼ିଆ ଭାଷାରେ ‘ଥ୍ରୀଲର’

ଭୁବନେଶ୍ୱର (ବ୍ୟୁରୋ),୧୫।୮: ମହାମାରୀ କରୋନା ଲାଗି ସିନେମା ହଲ୍‌ ବନ୍ଦ ଥିବାବେଳେ ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର’ ଶୁକ୍ରବାର ଡିଜିଟାଲ ପ୍ଲାଟ୍‌ଫର୍ମରେ ରିଲିଜ ହୋଇଛି। ଓଡ଼ିଶା ଜନ୍ମିତ ଅଭିନେତ୍ରୀ ଅପ୍‌ସରା ରାଣୀ ଏବଂ ମଡେଲ ରକ୍‌କାଚ୍ଚି ଏଥିରେ ନାୟିକା ଓ ନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଫିଲ୍ମକୁ ନେଇ ଯେତିକି ଉତ୍ସାହ ରହିଛି ସେତିକି ବିବାଦ ମଧ୍ୟ ଦେଖିବାକୁ ମିଳିଛି। ହିନ୍ଦୁ ଏକତା ବାହିନୀ ପକ୍ଷରୁ ଫିଲ୍ମ ବିରୋଧରେ ଏତଲା ଦିଆଯିବା ସହ ନାୟିକାଙ୍କ ଅଙ୍ଗ ପ୍ରଦର୍ଶନ ଓଡ଼ିଶାର ସଂସ୍କୃତି, ପରମ୍ପରା ପ୍ରତି ଅପମାନ ବୋଲି କୁହାଯାଇଛି। ସେହିପରି ଫିଲ୍ମର ଟ୍ରେଲରକୁ ତୁରନ୍ତ ୟୁଟ୍ୟୁବ୍‌ରୁ ହଟାଇବାକୁ ଦାବି ହୋଇଛି। ଏଭଳି ସ୍ଥଳେ ଶୁକ୍ରବାର ରାତି ୯ଟାରେ rgvworldtheatre.com ଏବଂ shreyasET.com ଭଳି ଦୁଇଟି ଅନଲାଇନ୍‌ ପ୍ଲାଟଫର୍ମରେ ଥ୍ରୀଲର ଫିଲ୍ମ ରିଲିଜ ହୋଇଛି। ଓଡ଼ିିଆ ସମେତ ମୋଟ ୯ଟି ଭାଷା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼, ମାଲୟାଲମ, ଭୋଜପୁରୀ ଏବଂ ଗୁଜରାଟିରେ ଦର୍ଶକ ଏହି ଫିଲ୍ମ ଦେଖିପାରିବେ। ଫିଲ୍ମ ରିଲିଜ ଅବସରରେ ଅପସରାଙ୍କ ସହ ରାମଗୋପାଳ ଏକ ଲାଇଭ୍‌ ଶୋ’ରେ ଥ୍ରୀଲରର ପ୍ରମୋଶନ କରିଥିବା ନେଇ ସୂଚନା ମିଳିଛି। ‘ଥ୍ରୀଲର’ ପାଇଁ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ଅପ୍‌ସରା ରାମଗୋପାଳଙ୍କ ଆଗାମୀ ଫିଲ୍ମ ‘ଡେରସ୍‌’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସେ ନୈନା ଗାଙ୍ଗୁଲିଙ୍କ ସହ ସମଲିଙ୍ଗୀ ଚରିତ୍ରରେ ଅଭିନୟ କରିବେ।

Share