Categories: ଜାତୀୟ

ଆମେ ମଣିପୁର ହିଂସା ବିଷୟରେ କହୁଛୁ, ପ୍ରଧାନମନ୍ତ୍ରୀ ଇଷ୍ଟ ଇଣ୍ଡିଆ କମ୍ପାନୀ କଥା କହି ବିଷୟ ଏଡାଇ ଯାଉଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ମଙ୍ଗଳବାର ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଲୋକ ସଭାରେ ଏବଂ ପରେ ସମସ୍ତ ରାଜ୍ୟ ସଭା କିଛି ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ପଡିଛି। ମଣିପୁର ହିଂସାକୁ ନେଇ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଛନ୍ତି, ଏଠାରେ ଆମେ ମଣିପୁର ହିଂସା ବିଷୟରେ କହୁଛୁ ପ୍ରଧାନମନ୍ତ୍ରୀ ଇଷ୍ଟ ଇଣ୍ଡିଆ କମ୍ପାନୀ କଥା କହି ସେ ବିଷୟ ଏଡାଇ ଯାଉଛନ୍ତି।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାଜପା ସଂସଦୀୟ ଦଳର ବୈଠକରେ ବିରୋଧୀ ଦଳକୁ କଡ଼ା ସମାଲୋଚନା କରି ମୁଁ ଆଜି ପର୍ଯ୍ୟନ୍ତ ଏଭଳି ଦିଗହୀନ ବିରୋଧୀ ଦେଖି ନାହିଁ ବୋଲି କହିଥିଲେ। ବିରୋଧୀ ଦ୍ୱାରା ଗଠିତ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ନେଇ ମଧ୍ୟ ସେ ନିଜ ମତ ରଖି କହିଥିଲେ ଯେ, କେବଳ ମିଳିତ ମେଣ୍ଟର ନାଁ ‘ଇଣ୍ଡିଆ’ ଲେଖିବା ଦ୍ୱାରା କିଛି ହୋଇପାରିବ ନାହିଁ। ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟ ନିଜ ନାଁ ସହ ‘ଇଣ୍ଡିଆ’କୁ ଯୋଡିଥିଲା। ସେହିଭଳି ଇଣ୍ଡିଆନ୍‌ ମୁଜାହିଦ୍ଦିନ ନାଁରେ ମଧ୍ୟ ‘ଇଣ୍ଡିଆ’ ଅଛି।
ସୂଚନାଯୋଗ୍ୟ, ମଣିପୁରରେ ହୋଇଥିବା ହିଂସାକୁ ନେଇ ସଂସଦରେ ଲଗାତାର ହଟ୍ଟଗୋଳ ଦେଖାଦେଇଛି। ମୌସୁମୀ ଅଧିବେଶନର ପ୍ରଥମ ତିନି ଦିନ ଗୃହ ଅଚଳ ରହିଛି। ଆଜି ଚତୁର୍ଥ ଦିନ ମଧ୍ୟ ହଟ୍ଟଗୋଳ କାରଣରୁ ଲୋକ ସଭାର ପ୍ରକ୍ରିୟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଥିଲା

Share