Categories: ଖେଳ

ନୋ-ବଲ ପକାଇବା ଅପରାଧ: ହାର୍ଦ୍ଦିକ

ପୁଣେ,୬।୧: ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲାରେ ୧୬ ରନ୍‌ରେ ପରାଜିତ ହୋଇଛି। ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ନୈରାଶ୍ୟଜନକ ବୋଲିଂ ଯୋଗୁ ମ୍ୟାଚ୍‌ ଭାରତ ହାତରୁ ଚାଲି ଯାଇଥିବା କୁହାଯାଉଛି। ସେ ୨ ଓଭର ବୋଲିଂ କରିଥିଲେ। ଏଥିରେ ୫ ନୋ-ବଲ୍‌ ଥିଲା। ଏଥିସହ ସେ ସର୍ବାଧିକ ୧୮.୫୦ ହାରରେ ୩୭ ରନ୍‌ ମଧ୍ୟ ଦେଇଥିଲେ। ଏହାକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଶଦୀପଙ୍କ ଉପରେ ବର୍ଷିଛନ୍ତି।

ମ୍ୟାଚ୍‌ ଶେଷ ହେବା ପରେ ଅର୍ଶଦୀପଙ୍କ ବୋଲିଂ ଉପରେ ବଡ଼ ବୟାନ ଦେଇ ହାର୍ଦ୍ଦିକ କହିଛନ୍ତି, ସେ ପ୍ରଥମରୁ ହିଁ ଅନେକ ଥର ନୋ- ବଲ ପକାଇଛନ୍ତି। ଏହା କାହା ଉପରେ ଦୋଷାରୋପ କରିବା କଥା ନୁହେଁ, ହେଲେ ନୋ-ବଲ୍‌ ପକାଇବା ଅପରାଧ ବୋଲି ସେ କହିଛନ୍ତି।

ସେହିଭଳି ମ୍ୟାଚ୍‌କୁ ନେଇ ହାର୍ଦ୍ଦିକ କହିଛନ୍ତି, ପାଓ୍ବାର ପ୍ଲେ ସମୟରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଆମେ ଭଲ ପ୍ରଦର୍ଶନ କରିନାହିଁ। ଆମେ ଛୋଟ ଛୋଟ ଭୁଲ କରିଥିଲୁ। ହେଲେ ଆମକୁ ଏହି ସୋପାନରେ ସେଭଳି କରିବା ଉଚିତ ନୁହେଁ। ଆମକୁ ମୌଳିକ ଜିନିଷ ଶିଖିବା ଉଚିତ, ଯାହାକୁ ଆମେ ନିୟନ୍ତ୍ରଣ କରିପାରିବା। ଆପଣଙ୍କ ଦିନ ଖରାପ ହୋଇପାରେ କିନ୍ତୁ ମୌଳିକ କଥାରୁ ଦୂରେଇ ଯିବା ଉଚିତ ନୁହେଁ। ଏହି ପରିସ୍ଥିତିରେ ଏହା ବହୁତ କଠିନ ବୋଲି ସେ କହିଛନ୍ତି।

Share