ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ୧୮ ମାସ ଜେଲ

ଅହମ୍ମଦାବାଦ: ଗୁଜରାଟ ହାଇକୋର୍ଟର ଜଣେ ବିଚାରପତିଙ୍କୁ ଜୋତା ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କୁ ଦେଢ଼ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ରାଜକୋଟ ଜିଲା ଭୟଭଦର ଚା’ ଦୋକାନୀ ଭବାନୀଦାସ ଭବାଜୀ ଏକ ମାମଲାର ଫଇସଲା ପାଇଁ ହାଇକୋର୍ଟ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିଲେ। ୨୦୧୨ ଏପ୍ରିଲ ୧୨ରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାଭେରିଙ୍କ ଉପରକୁ ଅନ୍ୟ ଏକ ମାମଲାର ଶୁଣାଣି ବେଳେ ଜୋତା ଫିଙ୍ଗିଥିଲେ। ତେବେ ସୌଭାଗ୍ୟବଶତଃ ତାହା ଜଷ୍ଟିସ୍‌ ଝାଭେରିଙ୍କ ଦେହରେ ବାଜି ନ ଥିଲା। କାହିଁକି ଜୋତା ଫିଙ୍ଗିଲ ବୋଲି ପ୍ରଶ୍ନ କରାଯିବାରୁ ତାଙ୍କ ମାମଲାର ଶୁଣାଣି ହେଉ ନ ଥିବାରୁ ହତାଶ ହୋଇ ସେ ଏପରି କରିଥିବା କହିଥିଲେ। ରାସ୍ତାକଡ଼ରେ ଥିବା ତାଙ୍କ ଚା’ ଦୋକାନକୁ ଭୟଭଦର ପୌରପାଳିକା ହଟାଇଦେଇଥିଲା। ଫଳରେ ସେ ବେରୋଜଗାର ହୋଇ ମାନସିକ ଭାରସାମ୍ୟ ହରାଇଥିଲେ। ଅହମ୍ମଦାବାଦକୁ ଯାଇ ହାଇକୋର୍ଟଙ୍କ ବିଚାର ଶୁଣିବାକୁ ତାଙ୍କ ପାଖରେ ଟଙ୍କା ନ ଥିବାରୁ ଧାର କରିବାକୁ ପଡ଼ିଥିଲା। ଏଥିଲାଗି ସେ ଜୋତା ଫିଙ୍ଗିଥିଲେ ବୋଲି କହିଥିଲେ। ରାଜକୋଟ ଜିଲା ମିର୍ଜାପୁର ରୁରାଲ କୋର୍ଟର ବିଚାରବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ୍‌ ଭି.ଏ. ଧଧାଲ ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଭବାନୀଦାସଙ୍କୁ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଦଫା ୩୫୩ ଅନୁସାରେ ଦୋଷୀ ସାବ୍ୟସ୍ତ କରି ୧୮ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀ ଦାସଙ୍କୁ କୌଣସି ଜରିମାନା କରାଯାଇ ନାହିଁ।

Share