୨୦ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୪।୫(ବ୍ୟୁରୋ): ଗତ କିଛି ଦିନରୁ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ତାତି ଯୋଗୁ ସକାଳ ୯ଟାରୁ ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ତେବେ ଏହି ତାତିରୁ ମଙ୍ଗଳବାର ରାଜ୍ୟବାସୀଙ୍କୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଅନ୍ୟପଟେ ବୁଧବାର ରାଜ୍ୟର ୨୦ଟି ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ସାଙ୍ଗକୁ ସଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବହିବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ଏନେଇ ୨୦ଟି ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ୱାର୍ନିଂ ଜାରି କରିଛି। ସତର୍କ ସୂଚନା ଜାରି କରାଯାଇଥିବା ଜିଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ।

Share