ଡିସେମ୍ବରରେ ବାତ୍ୟା ଭୟ: ୩୦ ବେଳକୁ ସ୍ପଷ୍ଟ ହେବ

ଭୁବନେଶ୍ୱର,୨୮।୧୧(ଅନୀଲ ଦାସ):ଓଡ଼ିଶାକୁ ଡିସେମ୍ବରରେ ବାତ୍ୟା ବିପଦ ଆଶଙ୍କା ରହିଛି। ପାରାଦୀପଠାରୁ ପ୍ରାୟ ୨ ହଜାର କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଧୀରେ ଧୀରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରି ଆସନ୍ତା ୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ(ଡିପ୍ରେସନ)ରେ ପରିଣତ ହେବ। ଏହା ପରେ ଅବପାତ ଉତ୍ତର ପୂର୍ବ ଦିଗକୁ ଗତି କରିବ। ଏହାର ୪୮ ଘଣ୍ଟା ପରେ ଅବପାତ ଆହୁରି ବଳଶାଳୀ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ଡିସେମ୍ବର ୧ କିମ୍ବା ୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବାତ୍ୟାର ବେଗ ଓ ଗତିପଥ କେଉଁ ଆଡ଼କୁ ହେବ ତାହା ଆସନ୍ତା ୩୦ ତାରିଖ ସୁଦ୍ଧା ସ୍ପଷ୍ଟ ହେବ। ତେବେ କେତେକ ବେସରକାରୀ ପାଣିପାଗ ବିଜ୍ଞାନ ସଂସ୍ଥା ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ବାତ୍ୟା ଆସନ୍ତା ୫ କିମ୍ବା ୬ ତାରିଖ ବେଳକୁ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଦେଇ ବାଂଲାଦେଶ କିମ୍ବା ମ୍ୟାନ୍‌ମାର ଆଡ଼କୁ ଯିବ। ବାତ୍ୟା ଓଡ଼ିଶା ଉପକୂଳ ଦେଇ
ଗତି କରିବା ବେଳେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର ଜିଲା ଉପରେ ଏହାର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ବାତ୍ୟାର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୫୦ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଉଛି।
ସମ୍ଭାବ୍ୟ ବାତ୍ୟା ଚାଷୀଙ୍କ ମନରେ ଛନକା ପୂରାଇ ଲାଣି। ଚଳିତ ବର୍ଷ ଡେରିରେ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବ ହୋଇଛି। ଉପକୂଳ ଜିଲାଗୁଡ଼ିକରେ କେତେକ ବ୍ଲକରେ ପାଚିଲା ଧାନ ବିଲରେ ପଡି ରହିଛି। ବର୍ଷାଭାବ ଯୋଗୁ ଧାନ ଚାଷ ହୋଇ ପାରି ନ ଥିବା ଅଞ୍ଚଳରେ ବିରି, ମୁଗ ଭଳି ରବି ଜାତୀୟ ଫସଲ ଉପରେ ଚାଷୀ ଭରସା କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଭୟ ଚାଷୀଙ୍କୁ ଚିନ୍ତାରେ ପକାଇଛି।
ଓଡ଼ିଶା ଉପକୂଳକୁ ସାଧାରଣତଃ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ବାତ୍ୟାର ଭୟ ଥାଏ। ବାତ୍ୟା ଯଦି ଓଡ଼ିଶା ଉପକୂଳ ଅତିକ୍ରମ କରିବ ଡିସେମ୍ବରରେ ରାଜ୍ୟ ପାଇଁ ଏହା ପ୍ରଥମ ଘଟଣା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକମାସ ଶେଷ ହୋଇଥିଲେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଉନାହିଁ। ନଭେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀକୁ ଖସି ଆସୁଥିବା ବେଳେ ଚଳିତବର୍ଷ ୧୩ରୁ ୧୫ ଡିଗ୍ରୀ ଉପରେ ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝର ୧୨.୨, ରାଉରକେଲା ୧୩.୮, ଫୁଲବାଣୀ ୧୪, ଅନୁଗୋଳ ୧୪, ସୁନ୍ଦରଗଡ ୧୪, ଦାରିଙ୍ଗିବାଡି ୧୪, ଝାରସୁଗୁଡା ୧୪.୨ ଏବଂ ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୧୫.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share