
ଭୁବନେଶ୍ୱର,୩ା୪: ଆସନ୍ତା କିଛି ଘଣ୍ଟା ଭିତରେ ରାଜ୍ୟର କିଛି ଜିଲାରେ କାଳବୈଶାଖୀର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାରୁ ଜଣାପଡ଼ିଛି। ରାଜ୍ୟର ମୁଖ୍ୟତଃ ୭ ଜିଲାକୁ କାଳବୈଶାଖୀ ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ଜିଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ବରଗଡ଼, ଦେବଗଡ଼, ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ଝଡ଼ ପବନ ହେବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚାଇ ଦିଆଯାଇଛି।
କେବଳ ସେତିକି ନୁହେଁ ୫ ଦିନ ଯାଏ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠୁ ପାଗରେ ପରିବର୍ତ୍ତନ ହେବ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ଏପ୍ରିଲ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ବିଜୁଳି ଘଡଘଡି ନେଇ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ ।
ଆସନ୍ତା ଏପ୍ରିଲ ୩ରେ କାଳବେଶାଖୀ ବର୍ଷାକୁ ନେଇ ୯ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୫ଟି ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କୁଆପଥର ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୯ ଜିଲା ହେଉଛି: ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ଓ କୋରାପୁଟ । ସେହିଭଳି ୟେଲୋ ଆଲର୍ଟ ଜାରି କରାଯାଇଥିବା ୫ ଜିଲା ହେଉଛି ବରଗଡ, ସୋନପୁର, ବଲାଙ୍ଗିର, ନୂଆପଡା ଓ ମାଲକାନଗିରି ।
ସେହିଭଳି ଏପ୍ରିଲ ୪ରୁ ୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଓ ପବନ ସହ କୁଆପଥର ବର୍ଷା ହେବା ନେଇ ୮ଟି ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୨ ଜିଲାକୁ ୟେଲୋ ଜୋନରେ ରଖାଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୮ ଜିଲା ହେଉଛି: ମାଲକାନାଗିରି, କୋରାପୁଟ, ରାୟଗଡ, ଅନୁଗୁଳ, କେଉଁଝର, ମୟୁରଭଞ୍ଜ, ଭଦ୍ରକ ଓ ବାଲେଶ୍ବର । ସେହିଭଳି ୟେଲୋ ଜୋନରେ ଥିବା ୧୨ ଜିଲା ହେଉଛି: ଗଞ୍ଜାମ, ଗଜପତି, କନ୍ଧମାଳ, ବେଦ୍ଧ, ନୟାଗଡ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡା ଓ ଜଗତସିଂପୁର ।