ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି। ରବିବାର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବଜ୍ରପାତରେ ଅତି କମ୍ରେ ୭୦ ଲୋକଙ୍କ ମୃତ୍ୟୁ ଘଟିଛି। ଜୁନ୍ ୭ରେ ପଶ୍ଚିମବଙ୍ଗରେ ଏହି କାରଣରୁ ୨୭ ଜଣଙ୍କ ଜୀବନ ଯାଇଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ୩୫.୪ ପ୍ରତିଶତ କେବଳ ବଜ୍ରପାତ କାରଣରୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ସହ କାମ କରୁଥିବା ଏକ ବେସରକାରୀ ସଙ୍ଗଠନ ଜଳବାୟୁ ସ୍ଥାୟୀ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ପ୍ରୋତ୍ସାହନ ପରିଷଦ(ସିଆର୍ଓପିସି) ପକ୍ଷରୁ ପ୍ରସ୍ତୁତ ଭାରତର ଦ୍ୱିତୀୟ ବାର୍ଷିକ ବଜ୍ରପାତ ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ଦେଶରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି।
ସିଆର୍ଓପିସି ରିପୋର୍ଟ ୨୦୨୦-୨୧ ଅନୁସାରେ, ଦେଶରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ସର୍ବାଧିକ ବଜ୍ରପାତ ହୋଇଛି। ଏଥିଯୋଗୁ ବିହାରରେ ୪୦୧, ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଜ୍ରପାତଜନିତ ମୋଟ ମୃତ୍ୟୁର ୫୩ ପ୍ରତିଶତ। ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବଜ୍ରପାତ ହୋଇଥିବାବେଳେ ବର୍ଷକ ମଧ୍ୟରେ ପ୍ରାୟ ୨୦୭ ଜଣଙ୍କ ଜୀବନ ଯାଇଛି। ବିଶେଷକରି ପ୍ରାକ୍ ମୌସୁମୀ ସମୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।
କାରଣ କ’ଣ
ସଚେତନତା ଅଭାବରୁ ବଜ୍ରପାତରେ ଅନେକଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି। ବଜ୍ରପାତରେ ମୋଟ ମୃତ୍ୟୁର ପ୍ରାୟ ୭୦ ପ୍ରତିଶତ ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବାରୁ ଘଟୁଛି। ଅନ୍ୟ ୨୫ ପ୍ରତିଶତ ଲୋକ ବାହାରେ ଥିବାବେଳେ ଜୀବନ ଯାଉଛି। ଛୋଟ ନାଗପୁର ମାଳଭୂମିରୁ ଅଧିକ ବଜ୍ରପାତ ସୃଷ୍ଟି ହୋଇଥାଏ। ଉକ୍ତ ମାଳଭୂମି ପୂର୍ବ ଭାରତରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼କୁ ବ୍ୟାପିଥିବାରୁ ଏହି ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟାରେ ବଜ୍ରପାତ ଘଟିଥାଏ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଶ୍ୱତାପନ, ଜଙ୍ଗଲ ନଷ୍ଟ, ବ୍ୟାପକ କଂକ୍ରିଟ୍ ଭିତ୍ତିଭୂମି, ପ୍ରଦୂଷଣ, ଏରୋସଲ୍ ସ୍ତର ବୃଦ୍ଧି ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦାୟୀ।
କିପରି କମିପାରିବ
ସିଆର୍ଓପିସି ରିପୋର୍ଟ ମୁତାବକ, ଋତୁ ଅନୁସାରେ ବିଭିନ୍ନ ରାଜ୍ୟରେ ବଜ୍ରପାତ ଭିନ୍ନ ହୋଇଥାଏ। ଉଦାହରଣ ସ୍ବରୂପ କାଳବୈଶାଖୀ ବେଳେ ବଜ୍ରପାତ ଯୋଗୁ ପୂର୍ବ ଭାରତରେ ଅଧିକାଂଶ ଜୀବନ ହାନି ହୋଇଥାଏ। ସେହିପରି ପ୍ରାକ୍-ମୌସୁମୀ ବର୍ଷାବେଳେ ବିଶେଷକରି ବିହାର, ଝାଡଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟୁଛି। ତେଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ସେମାନଙ୍କ ଭୌଗୋଳିକ ସ୍ଥିତି ଅନୁସାରେ ବଜ୍ରପାତ ମାେଇକ୍ରୋ ଜୋନ୍ ପ୍ରସ୍ତୁତ କରିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ରାଜ୍ୟକୁ ଋତୁକାଳୀନ, ତୀବ୍ରତା ଓ ବାରମ୍ବାରତା ଆଧାରରେ ବଜ୍ର ବିପଦ ପରିଚାଳନା ଯୋଜନା କରିବା ଆବଶ୍ୟକ। ସେହିପରି ଆଇଏମ୍ଡି ଆକଳନକୁ ଗୁରୁତ୍ୱର ସହ ନେଇ ସରକାର ଲୋକଙ୍କ ସୁରକ୍ଷା ନିମନ୍ତେ ସଚେତନତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି।