ବଜ୍ରପାତରେ ଜଳିଗଲା ୨୯ ବଖରା

ପାଟଣା/ହାଟଡିହୀ/ରୂପସା/ଭଦ୍ରକ ଅଫିସ,୨।୫: କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନର ବଜ୍ରପାତ ଘଟି ଗଛ ସହ ୨୯ ବଖରା ଜଳିଯାଇଛି। କେନ୍ଦୁଝର ପାଟଣା ବ୍ଲକରେ ରବିବାର କାଳବୈଶାଖୀ ପ୍ରଭାବରେ ବୁଢ଼ୀକାପୁଡି ମହାନ୍ତ ସାହିରେ ବଜ୍ରପାତ ହୋଇଥିଲା। ଉକ୍ତ ଗ୍ରାମର ଲକ୍ଷ୍ମୀଧର ମହାନ୍ତଙ୍କ ପଡ଼ିଆରେ ଥିବା ଏକ କଞ୍ଚା ମହୁଲ ଗଛ ଉପରେ ବଜ୍ରପାତ ହେବାରୁ ଗଛଟି ସମ୍ପୂର୍ଣ୍ଣ ଜଳିଯାଇଛି। ପାଟଣା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେହିପରି ହାଟଡିହୀ ବ୍ଲକ ଅଁରା ପଞ୍ଚାୟତ ମଧୁରଗଡିଆ ଗ୍ରାମରେ ଶନିବାର ରାତିରେ ବଜ୍ରପାତ ଘଟି ୩ ବଖରା ପୋଡ଼ିଯାଇଛି। ବଜ୍ରପାତରେ ହଠାତ ନିଆଁ ଲାଗିବାରୁ ପରିବାର ଲୋକ ଭୟରେ ବାହାରକୁ ପଳାଇ ଆସିଥିଲେ। ଫଳରେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଧରଣୀଧର ଶଙ୍ଖୁଆ ଓ ନିତ୍ୟାନନ୍ଦ ଶଙ୍ଖୁଆ ଏଥିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଡ଼ିଆ ଗ୍ରାମର ଗୋପାଳ ଜେନାଙ୍କ ୬ ବଖରା ବାସଗୃହ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଭସ୍ମୀଭୂତ ହୋଇଯାଇଛି। ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଚାହୁଁ ଚାହୁଁ ଘରଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଦମକଳବାହିନୀ ଓ ଗାଁ ଲୋକେ ମିଶି ନିଆଁକୁ ଆୟତ୍ତ କରିଥିଲେ। ଘରର ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ପରିବାର ଲୋକେ ଓ ଗୋରୁଗାଈ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଅଚକ ପଞ୍ଚାୟତ ଗୋପସାହିରେ ୨୦ ବଖରା ଘର ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୧୧ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ସ୍ଥାନୀୟ ଅଗ୍ନିଶମ ବାହିନୀ ଆସି ନିଅଁା ଲିଭାଇଥିଲେ। ଅଗ୍ନିକାଣ୍ଡରେ ଗ୍ରାମର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରମୁଖଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି।

Share