ଆଜିଠାରୁ ଅଧିକାଂଶ ଅଞ୍ଚଳରେ ଝଡ଼ବର୍ଷା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି। ତେଣୁ ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ଏବେ ପୁନର୍ବାର ସକ୍ରିୟ ହୋଇପଡ଼ିଛି। ଫଳରେ ସୋମବାରଠାରୁ ରାଜ୍ୟରେ ଝଡ଼ବର୍ଷା ଲାଗି ରହିବ। ୧୮ରୁ ୨୨ ତାରିଖ ଯାଏ ୩ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ସୋମବାର ଅପରାହ୍ନ ମଧ୍ୟରେ ରାଜ୍ୟର ୮ ଜିଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଥିବାବେଳେ ୧୦ ଜିଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା ରହିଛି। ଏହି ଜିଲାଗୁଡିକ ହେଉଛି ଯାଜପୁର, ଖୋର୍ଦ୍ଧା, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା। ସେହିପରି ଏହି ସମୟ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ପୁରୀ, ନୟାଗଡ଼, ଅନୁଗୋଳ ଓ କଳାହାଣ୍ଡି ଆଦି ୧୦ ଜିଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୯ ତାରିଖରେ କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼, କନ୍ଧମାଳ ଓ ନବରଙ୍ଗପୁର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ନୟାଗଡ଼ ଜିଲାର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ୨୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୧ ତାରିଖରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲାରେ ବଜ୍ରପାତ ସହ ବର୍ଷା ହୋଇପାରେ। ୨୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆକଳନ କରିଛି ପାଣିପାଗ ବିଭାଗ।

Share