ରାତି ଅଧରେ ଘଡ଼ଘଡ଼ି ସହ ବର୍ଷା, ପବନ

ଭୁବନେଶ୍ୱର,୧୨।୫(ଅନୁରାଧା ମହାରଣା)ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ରାଜଧାନୀ ଆକାଶରେ ହଠାତ୍‌ ଘୋଟି ଆସିଥିଲା କଳା ହାଣ୍ଡିଆ ମେଘ। ପ୍ରାୟ ୧ଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡ଼ି ବିଜୁଳି ରାଜଧାନୀବାସୀଙ୍କୁ ଆତଙ୍କିତ କରିଥିଲା। ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେଉଥିଲେ ମଧ୍ୟ ଏହାର ଘୂର୍ଣ୍ଣାୟମାନ ଗତିରେ ବହୁ ଗଛ ଭାଙ୍ଗିପଡିବା ସହ ବର୍ଷାର କ୍ଷୀପ୍ରତାକୁ ବଢ଼ାଇ ଦେଇଥିଲା। ଏଥିଯୋଗୁ ସହର ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଥିଲା। ବର୍ଷା ପାଣି ଜମି ରହିବାରୁ ଏନ୍‌ଏଚ୍‌-୧୬ ଓଭରବ୍ରିଜ୍‌ ତଳେ ଓ ଉପରେ କିଛି ସମୟ ଧରି କୃତ୍ରିମ ନଦୀ ସୃଷ୍ଟି ହୋଇଥିଲା। ପବନ ସହ ରାସ୍ତାରେ ପାଣିର ସୁଅକୁ ଗାଡିମୋଟର ଆଗକୁ ବଢ଼ିବା ଅସମ୍ଭବ ହୋଇପଡ଼ିଥିଲା। ଫଳରେ ଦୀର୍ଘ ସମୟ ଧରି ଓଭର ବ୍ରିଜ୍‌ ଉପରେ ଟ୍ରକ୍‌, କାର ସହ ଅନ୍ୟାନ୍ୟ ଯାନବାହନ ଅଟକି ରହିଥିଲା। ନୟାପଲ୍ଲୀ, ଜୟଦେବ ବିହାର, ସିଆର୍‌ପିଏଫ୍‌, ଫାୟାରଷ୍ଟେଶନ, ବରମୁଣ୍ଡା ଓଭରବ୍ରିଜ୍‌ ଉପରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ବାଇକ୍‌ଗୁଡ଼ିକର ସିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡ଼ିଯାଇଥିଲା। ଫଳରେ ଏକାଧିକ ଇଞ୍ଜିନ୍‌ରେ ପାଣି ପଶିଯିବାରୁ ଗାଡ଼ି ଖରାପ ହୋଇ ଅଟକି ରହିଥିଲା। ଲୋକେ ଝଡ଼ବର୍ଷାରେ ଗାଡ଼ି ଠେଲି ଠେଲି ନେବା ବେଶ୍‌ କଷ୍ଟଦାୟକ ହୋଇପଡ଼ିଥିଲା। ଓଭରବ୍ରିଜ୍‌ ତଳେ ଏହାଠାରୁ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା। ଡ୍ରେନ୍‌ ଆଡ଼କୁ ପାଣି ସୁଅର ବେଗ ଏତେ ତୀବ୍ର ରହିଥିଲା ଯେ, ବଡ଼ ବଡ଼ କାର୍‌ଗୁଡ଼ିକ୍‌ ଟାଣି ହୋଇଯାଉଥିଲା। ଲୋକେ ଭୟରେ ଗାଡ଼ି ଛାଡ଼ି ପଳାଉଥିବାବେଳେ ଗାଡିଟି ପାଣି ସୁଅରେ ଭାସି ଯାଉଥିଲା। ଅନେକ ଲୋକ ଓଭରବ୍ରିଜ୍‌ ତଳେ ଆଶ୍ରୟ ନେବା ସହ ଝଡ଼ ଥମିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ସାରା ରାଜଧାନୀରେ ଡ଼ାଳପତ୍ର ଭାଙ୍ଗି ଗଦା ହୋଇଥିଲା। କେତେକ ସ୍ଥାନରେ କୃଷ୍ଣଚୂଡ଼ା ଗଛ ଉପୁଡ଼ି ପଡିଥିଲା। ବର୍ଷା ଥମିବା ପରେ ବି ଘଡଘଡ଼ି ବିଜୁଳି ମାରୁଥିଲା। ବିଳମ୍ବିତ ରାତିରେ ପ୍ରକୃତିର ତାଣ୍ଡବରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ନ ଥିଲା। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବାରୁ ବହୁ ଅଞ୍ଚଳ ଅନ୍ଧାରରେ ରହିଥିଲା। ଏପରିସ୍ଥିତିରେ ମଶା ଓ ଗରମ ବି ସହରବାସୀଙ୍କୁ କଲବଲ କରିଥିଲା।

Share