ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌ ଦେଇ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି। ଏନେଇ ସୁନନ୍ଦା ଗଭୀର ଅସନ୍ତୋଷ ପ୍ରକାଶ କରିଥିବାବେଳେ ତାଙ୍କ ଆଗାମୀ ପଦକ୍ଷେପ କ’ଣ ରହିବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା। ତେବେ ଏଠାରେ ମୁଖ୍ୟ ବିରୋଧୀ ଦଳ ଭାଜପା ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ତେଣୁ ସୁନନ୍ଦା ଭାଜପାକୁ ଫେରିପାରନ୍ତି ବୋଲି ଆଲୋଚନା ହେଉଛି।
୨୦୨୨ ଜିଲା ପରିଷଦ ନିର୍ବାଚନରେ ୨୧ ଓ ୨୪ ନମ୍ବର ଜୋନ୍‌ର ନେତୃତ୍ୱ ନେଇ ବିଜେଡିର ଭୋଟହାରକୁ ବୃଦ୍ଧି କରିଥିବା ସୁନନ୍ଦାଙ୍କୁ ବାଦ୍‌ ଦିଆଯାଇ ବିଶ୍ୱରଞ୍ଜନଙ୍କୁ ପ୍ରାର୍ଥୀ କରିବା ବଡ଼ଧରଣର ଦଳୀୟ ବିଦ୍ରୋହ ସୃଷ୍ଟି କରିଛି। ସୁନନ୍ଦାଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି। ଅନ୍ୟପକ୍ଷରେ ବିଶ୍ୱରଞ୍ଜନଙ୍କ ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କୁ ଏଥର ବିଜେଡି ସୁଯୋଗ ଦେଇଛି ବୋଲି ତାଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ତେବେ ବିଶ୍ୱରଞ୍ଜନ ୨୦୧୪ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ହେଁ ବିଜେଡି ତାଙ୍କ ଉପରେ ଭରସା କରି ବଡ଼ ରିସ୍କ ନେଇଛି ବୋଲି ଅନେକେ ମତ ଦେଉଛନ୍ତି। ୨୦୧୯ ନିର୍ବାଚନରେ ଭାଜପାରୁ ବିଶ୍ୱରଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇ ୪,୦୬୨ ଭୋଟରେ ସୁନନ୍ଦାଙ୍କଠାରୁ ହାରିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ। ସେବେଠାରୁ ବିଜେଡିର ପ୍ରାୟ ସବୁ କାର୍ଯ୍ୟକ୍ରମ ସୁନନ୍ଦା ଏବଂ ବିଶ୍ୱରଞ୍ଜନଙ୍କ ଦ୍ୱାରା ସମାନ୍ତରାଳ ଭାବେ ହୋଇ ଆସୁଥିଲା। ଗତ ଜିଲା ପରିଷଦ ନିର୍ବାଚନରେ ମଧ୍ୟ ଏହି ଦୁଇ ନେତାଙ୍କୁ ୨ଟି ଲେଖାଏ ଆସନର ଦାୟିତ୍ୱ ଦିଆଯାଇଥିଲା। ବିଶ୍ୱରଞ୍ଜନ ଭାଗରେ ପଡ଼ିଥିବା ୨୨ ନମ୍ବର ଜିଲା ପରିଷଦ ଜୋନ୍‌ରେ ୩୯% ଓ ୨୩ ନମ୍ବର ଜୋନ୍‌ରେ ୫୧% ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୨ ନମ୍ବରର ଆସନରେ ଭାଜପା ୩୫% ଭୋଟ ପାଇଥିବାରୁ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କରର ସମ୍ମୁଖୀନ ହେବାକୁ ପଡିଥିଲା। ସେହିପରି ସୁନନ୍ଦା ଭାଗରେ ପଡିଥିବା ୨୧ ନମ୍ବର ଜୋନ୍‌ରେ ୫୧% ଓ ୨୪ ନମ୍ବର ଜୋନ୍‌ରେ ୫୦% ଭୋଟ ପାଇ ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହୋଇଥିଲେ। କିନ୍ତୁ ବିଶ୍ୱରଞ୍ଜନ ବିଜେଡିରେ ଯୋଗଦେବାବେଳକୁ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ପୂରଣ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।
୨୦୦୦ ମସିହାରୁ ବରୀ ଆସନ ବିଜେଡି ହାତରେ ରହିଆସିଛି। ୨୦୧୯ ନିର୍ବାଚନ ପୂର୍ବରୁ ସୁନନ୍ଦା ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ବିଜେଡି ୨୦୧୯ରେ ପ୍ରାର୍ଥୀ କରି ୪ଥରର ବିଧାୟକ ଥିବା ଦେବାଶିଷ ନାୟକଙ୍କୁ ବାଦ୍‌ ଦେଇଥିଲା। ଅନ୍ୟପକ୍ଷରେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବାଶିଷ ନାୟକଙ୍କୁ କଡ଼ା ଟକ୍କର ଦେଇ ୭,୧୭୩ ଭୋଟରେ ହାରିଥିବା ସ୍ବାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ୨୦୧୯ରେ ଭାଜପା ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନଠାରୁ ଭାଜପା ଶାସକ ଦଳର ବିକଳ୍ପ ଭାବେ ଭୋଟରଙ୍କ ସାମ୍ନାରେ ଉଭା ହୋଇଛି। ଗତ ସାଧାରଣ ନିର୍ବାଚନରେ ବିଜେଡି ୪୮.୨୮% ଓ ଭାଜପା ୪୫.୫୮% ଭୋଟ ପାଇଥିଲା। ବିଜେଡି ୨୦୧୯ ଭଳି ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ବଦଳାଇଥିବାବେଳେ ଏହାର ମୁକାବିଲା କରିବାକୁ ଭାଜପା କେଉଁଭଳି ରଣନୀତି ଆପଣାଉଛି ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହୋଇଯିବ। ହେଲେ ଭାଜପା ପାଇଁ ପ୍ରାର୍ଥୀ ଚୟନ କଷ୍ଟକର ହୋଇପଡ଼ିଛି। କିଛିମାସ ପୂର୍ବେ ପୂର୍ବତନ ବିଧାୟକ ଦେବାଶିଷ ନାୟକ ଏବଂ ଏହାର ବହୁ ପୂର୍ବରୁ ଗତ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ଭାଜପାରେ ସାମିଲ ହୋଇ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ତେବେ ବିଧାୟିକା ସୁନନ୍ଦା ଯଦି ଭାଜପାକୁ ଫେରନ୍ତି ଏବଂ ଟିକେଟ ପାଆନ୍ତି, ତେବେ ବିଜେଡିକୁ ପୁଣି କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଭାଜପା ମଧ୍ୟ ବିଜେଡିର ବିଦ୍ରୋହର ଫାଇଦା ଉଠାଇବା ପାଇଁ ବରୀରେ ପ୍ରାର୍ଥୀ ଘୋଷଣା ନ କରି ଅପେକ୍ଷାରେ ରହିଥିବା ମନେହେଉଛି। କିନ୍ତୁ ସୁନନ୍ଦା ଯଦି ଭାଜପା ପ୍ରାର୍ଥୀ ହୁଅନ୍ତି, ତା’ହେଲେ ଦେବାଶିଷ ଏବଂ ଉମେଶ ତାହାକୁ ଗ୍ରହଣ କରିବେ ନା ବିଦ୍ରୋହୀ ହେବେ ତାହା ଏବେ ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ବିଜେଡି ଟିକେଟ ଆଶାୟୀ ଥିବା ଯୁବନେତା ସଞ୍ଜୀବ ଜେନା ମଧ୍ୟ ଏବେ ନିରାଶ ହୋଇଥିବାରୁ ସେ ତାଙ୍କ ସମର୍ଥକମାନଙ୍କୁ ନେଇ ଦେବାଶିଷଙ୍କୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି। ପ୍ରାର୍ଥୀ ଚୟନକୁ ନେଇ ଯଦି ଭାଜପାରେ ବିଦ୍ରୋହ ନ ହୁଏ, ତେବେ ଦଳ ପାଇଁ ବିଜୟ ସୁଯୋଗ ରହିଛି ବୋଲି ଚର୍ଚ୍ଚା ହେଉଛି।
ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ କହିଛନ୍ତି, ଆଗାମୀ ଦିନରେ ବରୀର ବିକାଶ ଦ୍ୱିଗୁଣିତ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମନ୍ତ୍ରକୁ ଲୋକାଭିମୁଖୀ କରାଇବା ପାଇଁ ସେ ସମସ୍ତ କର୍ମୀମାନଙ୍କୁ ନେଇ ଉଦ୍ୟମ ଜାରି ରଖିବେ।
ଅନ୍ୟପକ୍ଷରେ କଂଗ୍ରେସରୁ ଜିଲା ସଭାନେତ୍ରୀ ଆରତି ଦେଓ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ତେବେ ବରୀରେ କଂଗ୍ରେସ ଶେଷଥର ପାଇଁ ୧୯୯୫ରେ ବିଜୟୀ ହୋଇଥିଲା। ଏହାପରଠାରୁ ପ୍ରତି ନିର୍ବାଚନରେ ଦଳର ଭୋଟହାର ଆଖିଦୃଶିଆ ହ୍ରାସ ପାଇଆସିଛି। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା ମାତ୍ର ୭,୦୮୨(୪.୭%) ଭୋଟ ପାଇଥିଲେ। ଏଥର ବିଜେଡି ଓ ଭାଜପା ପ୍ରାର୍ଥୀ ମଧ୍ୟରେ ହିଁ ଲଢ଼େଇ ହେବ ବୋଲି କୁହାଯାଉଥିବାବେଳେ ଆରତି ସେମାନଙ୍କୁ କେତେ ଟକ୍କର ଦେଇପାରୁଛନ୍ତି ତାହା ନିର୍ବାଚନ ଫଳାଫଳରେ ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri