Categories: ଖେଳ

ଆଜିଠୁ ବକ୍ସ ଅଫିସରେ ଟିକେଟ ବିକ୍ରି

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତ, ଅଷ୍ଟ୍ରେଲିଆ ଓ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ନେଇ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ମ୍ୟାଚ ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବକ୍ସ ଅଫିସ ଟିକେଟ ବିକ୍ରି ସୋମବାରଠାରୁ ଆରମ୍ଭ ହେବ। ଅନ୍‌ଲାଇନ୍‌ରେ ଟିକେଟ କ୍ରୟ କରିଥିବା କ୍ରୀଡ଼ାପ୍ରେମୀମାନେ ଏହି ସମୟରେ ରିଡେମ୍ପଶନ ମଧ୍ୟ କରିପାରିବେ। ବିର୍ସାମୁଣ୍ଡା ହକି ଷ୍ଟାଡିୟମ କାଉଣ୍ଟରରେ ଟିକେଟ ପୂର୍ବାହ୍ନ ୧୧ଟାରୁ ରାତି ୭ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।

ହୋଲି ଉତ୍ସବ ପାଇଁ ୮ ତାରିଖ ଦିନ ଟିକେଟ କେବଳ ଅପରାହ୍ନ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ମିଳିବ। ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଗେଟ୍‌ ନମ୍ବର ୨ରେ ନର୍ଥ ଓ ଇଷ୍ଟ ଷ୍ଟାଣ୍ଡ ଏବଂ ଗେଟ୍‌ ନମ୍ବର ୬ରେ ସାଉଥ୍‌ ଓ ଓ୍ବେଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ ମିଳିବ ଏବଂ ରିଡେମ୍ପଶନ ହୋଇପାରିବ। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ପୂର୍ବ ହୋମ୍‌ ଗେମ୍‌ ଗୁଡ଼ିକ ଗତବର୍ଷ ଅକ୍ଟୋବରରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୨ଟି ମ୍ୟାଚରେ ଯଥାକ୍ରମେ ୪-୩ ଓ ୭-୪ ଗୋଲରେ ହରାଇଥିବାବେଳେ ସ୍ପେନଠାରୁ ୨-୩ ଗୋଲରେ ହାରିଥିଲା ଏବଂ ୨-୨ ଗୋଲରେ ମ୍ୟାଚ ଡ୍ର ରଖିଥିଲା।

ଏଥର କିନ୍ତୁ ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତର ହୋମ୍‌ ମ୍ୟାଚ ଅନୁଷ୍ଠିତ ହେବ। ଭାରତ ସାମିଲଥିବା ମ୍ୟାଚ ଗୁଡ଼ିକରେ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦, ଇଷ୍ଟ ୪୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଅଷ୍ଟ୍ରେଲିଆ ଓ ଜର୍ମାନୀ ମ୍ୟାଚ ୨ଟି ପାଇଁ ଓ୍ବେଷ୍ଟ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୫୦୦, ଇଷ୍ଟ ୨୦୦ ଏବଂ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖା ଯାଇଛି। ରାଉରକେଲାରେ ମୋଟ ୬ଟି ମ୍ୟାଚ ଅନୁଷ୍ଠିତ ହେବ। ଲିଗ୍‌ ଫର୍ମାଟ ଅନୁସାରେ ପ୍ରତି ଦଳ ପରସ୍ପର ସହିତ ୨ଟି ଲେଖାଏ ମ୍ୟାଚ ଖେଳିବେ। ମାର୍ଚ୍ଚ ୧୦ରେ ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ ଭାରତ।

ଅନ୍‌ଲାଇନ୍‌ ଟିକେଟ www.ticketgenie.in ରେ ଉପଲବ୍ଧ ହେଉଛି। ”ଗତ ହକି ବିଶ୍ୱକପ ସମୟରେ ବହୁ ସଂଖ୍ୟାରେ ଦର୍ଶକ ମ୍ୟାଚ ଦେଖିବାପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଆସିଥିଲେ। ପ୍ରୋ ଲିଗ୍‌ ପାଇଁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ସେପରି ଉତ୍କଣ୍ଠା ରହିଥିବ ବୋଲି ଆଶା କରୁଛି। ବିଶ୍ୱର ଶ୍ରେଷ୍ଠ ୩ଟି ଦଳକୁ ନେଇ ଆଗାମୀ ମୁକାବିଲା ହେବାକୁ ଯାଉଛି“ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି।

Share