Categories: ଖେଳ

ଟିକେଟ ବିକ୍ରି ଆରମ୍ଭ, ବାରବାଟୀରେ ଫାଇନାଲ

କଟକ ଅଫିସ, ୨୪ା୯: ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲଏଲସି) ଟୁର୍ନାମେଣ୍ଟର ମ୍ୟାଚ୍‌ ନିମନ୍ତେ ଅଫଲାଇନ୍‌ରେ ଟିକେଟ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମ ପରିସର ବାହାରେ ୪ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯାଉଛି। ପ୍ରଥମ ଦିନରେ ବିକ୍ରି ହୋଇଛି ୯୯ଟି ଟିକଟ। ୨୬ ତାରିଖରେ ଖେଳାଯିବାକୁ ଥିବା ମଣିପାଲ ଟାଇଗର୍ସ-ଭିଲୱାରା କିଙ୍ଗ୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ ନିମନ୍ତେ ୩୪ଟି ଟିକଟ ବିକ୍ରି ହୋଇଛି। ୨୭ ତାରିଖରେ ଖେଳାଯିବାକୁ ଥିବା ଗୁଜ୍‌ରାଟ ଜାଏଣ୍ଟ୍ସ-ଭିଲୱାରା କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ନିମନ୍ତେ ୬୫ଟି ଟିକେଟ ବିକ୍ରି ହୋଇଛି ବୋଲି ଏଲଏଲସିର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ମଧ୍ୟ କାଉଣ୍ଟର ଖୋଲାରହିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି କରାଯିବ ବୋଲି ସେ କହିଛନ୍ତି। ୨୫ ତାରିଖରେ ଉଭୟ ଦଳ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଏଣୁ ଅଭ୍ୟାସ ସେସନ ରଖାଯାଇନାହିଁ। ସେହିପରି ୨୭ ତାରିଖରେ ଖେଳାଯିବାକୁ ଥିବା ଗୁଜୁରାଟ ଜଏଣ୍ଟ୍ସ-ଭିଲୱାରା କିଙ୍ଗସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ମଧ୍ୟ କୌଣସି ଦଳ ଅଭ୍ୟାସ କରିବାକୁ ଆସିବେ ନାହିଁ। ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ-ମଣିପାଲ ଟାଇଗର୍ସ ବିପକ୍ଷ ମ୍ୟାଚ୍‌ ଖେଳାଯିବ। ଏହି ଦୁଇ ଦଳ ୨୮ ତାରିଖରେ ଅଭ୍ୟାସ କରିବେ। ପ୍ରତ୍ୟେକ ମ୍ୟାଚ୍‌ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।
ଅକ୍ଟୋବର ୫ରେ ଲିଗ୍‌ର ଫାଇନାଲ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟର ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି। ଲିଗ୍‌ ପ୍ରତି ଖେଳପ୍ରେମୀଙ୍କ ଆଗ୍ରହ ପରିଲକ୍ଷିତ ହେଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଷ୍ଟାଡିୟମରେ ହେଉ ଅବା ଟିଭି ରେଟିଂରେ ଗତ ସିଜନ ତୁଳନାରେ ଏଥର ଦର୍ଶକଙ୍କ ସଂଖ୍ୟା ୫ ଗୁଣା ଅଧିକ ଥିବା ଦେଖାଯାଇଛି ବୋଲି ଲିଜେଣ୍ଡ୍ସ ଲିଗ୍‌ର ସହପ୍ରତିଷ୍ଠାତା ତଥା ସିଇଓ ରମଣ ରାହେଜା ପ୍ରକାଶ କରିଛନ୍ତି। ଭାରତରେ ଆଇପିଏଲ୍‌ ପରେ ଏହି ଟି୨୦ ଲିଗ୍‌କୁ ଅଧିକ ଲୋକ ଦେଖୁଛନ୍ତି। ଆମ ଡିଜିଟାଲ ଫୁଟ୍‌ଫ୍ରିଣ୍ଟ୍‌ ୬ଶହ ନିୟୁତ ଅତିକ୍ରମ କରିସାରିଛି ବୋଲି ସେ କହିଛନ୍ତି।

Share