ବାଘ ସହ ତୃଣଭୋଜିଙ୍କ ଗଣନା ଆରମ୍ଭ

ନୟାଗଡ଼,୨୦।୬ (ଲୋକନାଥ ମିଶ୍ର): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ମହାନଦୀ ବନ୍ୟପ୍ରାଣୀ ଡଭିଜନର କୁଶଙ୍ଗ, କୁଅଁାରିଅଁା, ଛାମୁଣ୍ଡିଆ, ବାଣିଗୋଛା(ପଶ୍ଚିମ) ଭଳି ୪ଟି ରେଞ୍ଜରେ ବାଘ ସମେତ ମାଂସାସୀ ପ୍ରାଣୀ ଓ ତୃଣଭୋଜୀ ପ୍ରାଣୀଙ୍କ ପ୍ରାକ୍‌ ମୌସୁମୀ ଗଣନା ଆରମ୍ଭ ହୋଇଛି। ଏହି ଗଣନା ଗତ ୧୭ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ହେଉଛି। ୬ଦିନ ଧରି ହେବାକୁ ଥିବା ସର୍ଭେରେ ଡିଜିଟାଲ ସର୍ଭେ ଓ ଆପର ବ୍ୟବହାର କରାଯାଇ ଗଣନା କରାଯିବ। ପ୍ରଥମ ପର୍ଯ୍ୟାୟ ସର୍ଭେ ମାଂସାସୀ ପ୍ରାଣୀ, ବଡ଼ ତୃଣଭୋଜୀ ପ୍ରାଣୀଙ୍କର ଜୁନ ୧୭ରୁ ଆରମ୍ଭ ହୋଇଛି। ଏହା ୧୯ରେ ଶେଷ ହେବ। ୨ୟ ପର୍ଯ୍ୟାୟ ସର୍ଭେ ଜୁନ୍‌ ୨୦ରୁ ୨୨ ପର୍ଯ୍ୟନ୍ତ ହେବ। ଏଥିରେ ତୃଣଭୋଜୀ ପ୍ରାଣୀ, ଟ୍ରାନଜିଟ୍‌ ଲାଇନ୍‌ ସହ ବୃକ୍ଷରାଜୀ, ଗୁଳ୍ମଲତା ରହିଛି। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ୧୧ବିଟରେ ୩୩ଜଣ, କୁଅଁାରଅଁାର ୭ଟି ବିଟ୍‌ରେ ୨୧ଜଣ, ଛାମୁଣ୍ଡିଆ ରେଞ୍ଜର ୧୧ବିଟରେ ୩୩ଜଣ ଏପରି ମୋଟରେ ୩୬ ବିଟରେ ୧୦୮ ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗଣନାରେ ସୁବିଧା ପାଇଁ ୫୪୦ ସ୍ଥାନରେ ପାଦ ଚିହ୍ନ ନିରୀକ୍ଷଣ ବ୍ୟବସ୍ଥା ହୋଇଛି। ଏଥିପାଇଁ ପ୍ରତ୍ୟେକ ବିଟରେ ୩ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଗୋଟିଏ ଟ୍ରାନଜିଟ ଲାଇନର ଦୂରତା ୨ କିଲୋମିଟର ରହିଛି। ୩ ଜଣିଆ ଟିମ ଭୋର ସମୟରୁ ବାହାରି ବନ୍ୟପ୍ରାଣୀ ମହାବଳ ବାଘ, ଚିତା ବାଘ, କଲରାପତରିଆ ବାଘ, ବଣ କୁକୁର, ରାମଶିଆଳ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାସୀ ପ୍ରାଣୀ ଓ ତୃଣ ଭୋଜି ପ୍ରାଣୀଙ୍କ ପାଦ ଚିହ୍ନ, ମଳ, ଗର୍ଜନ, ରାମ୍ପୁଡା ଦାଗ ଚିହ୍ନଟ କରି ଡିଜିଟାଲ ସର୍ଭେ ଓ ଇକୋଲୋଜିକାଲ ମୋବାଇଲ ଆପ ସହାଯ୍ୟରେ ଗଣନା କରୁଛନ୍ତି ବୋଲି ମହାନଦୀ ବନ୍ୟପ୍ରାଣୀ ଡଭିଜନର ଡିଏଫ୍‌ଓ ଫାଲଗୁନ ସାରଥି ମଲ୍ଲିକ ସୂଚନା ଦେଇଛନ୍ତି।

Share