ବାଘଛାଲ ଜବତ: ୩ ଶିକାରୀ ଗିରଫ

ଦେବଗଡ଼, ୭।୩ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଟୁହିଳାମାଲ ଜଙ୍ଗଲ ନିକଟରୁ ଦେବଗଡ଼ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସୋମବାର ଏକ ବାଘଛାଲ ଜବତ କରିବା ସହ ୩ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବାଘଛାଲ ସହ ଏକ ଭୁଜାଲି ଓ ମୋବାଇଲ ଫୋନ୍‌ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ରିଆମାଳ ଥାନା ଅନ୍ତର୍ଗତ ଜଡ଼ାଗୋଳା ଗ୍ରାମର ପତି ବେହେରା, କାଇଁସର ଗ୍ରାମର ଟିକେଇ ବେହେରା ଓ ରାଜନ ନାଏକ।
ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିବା ସମ୍ପର୍କରେ ଦେବଗଡ଼ ପୋଲିସକୁ ସୂଚନା ମିଳିଥିଲା। ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ବାଡ୍‌ର କର୍ମଚାରୀ ଗ୍ରାହକ ବେଶରେ ଟୁହିଳାମାଲ ଜଙ୍ଗଲ ନିକଟକୁ ବାଘଛାଲ କିଣିବାକୁ ଯାଇଥିଲେ। ବାଘଛାଲ ବିକ୍ରି କରିବାକୁ ଆସିଥିବା ଉକ୍ତ ୩ବ୍ୟକ୍ତିଙ୍କୁ କାବୁ କରିଥିଲେ ବୋଲି ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ଡିପିଓ ମହାପାତ୍ର, ଡିଆଇବି ଡିଏସ୍‌ପି ପ୍ରଦୀପ କୁମାର କେରକେଟା, ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ ଓ ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।