ଚନ୍ଦ୍ରଗିରି ବନାଞ୍ଚଳରେ ବାଘ ପାଦଚିହ୍ନ

ମୋହନା,୧୫ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳର ଆକିଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। କିଛିଦିନ ହେଲା ଗଞ୍ଜାମ ଜିଲାର ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରେ ମହାବଳ ଆତଙ୍କ ଖେଳାଇବା ସହ ଗୃହପାଳିତ ପଶୁ ମାରି ଖାଇଥିଲା। ଶୁକ୍ରବାର ସକାଳେ ଚନ୍ଦ୍ରଗିରି ବନାଞ୍ଚଳ ଆକିଲି ଫାର୍ମ ନିକଟରୁ ବନ ବିଭାଗ ବାଘ ପାଦଚିହ୍ନ ଠାବ କରିଛି।
ସକାଳ ପ୍ରାୟ ସାଢ଼େ ୫.୩୦ସମୟରେ ଆକିଲି ଗାଁର ଜଣେ ଚାଷୀ ନିଜ କୋବି କିଆରିକୁ ଯାଇଥିଲେ । ସେଠାରେ ବାଘ ପାଦଚିହ୍ନ ଦେଖି ଭୟରେ ଗାଁକୁ ଦୌଡ଼ି ଆସିଥିଲେ। ଗାଁ ଲୋକେ ଏଡା ଜାଣିବା ପରେ ଚନ୍ଦ୍ରଗିରି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ର଼୍ୟାପିଡ଼ ରେସ୍‌ପଣ୍ଡ ଟିମ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରି ପ୍ଳାଷ୍ଟର ପ୍ୟାରିସରେ ନମୁନା ସଂଗ୍ରହ କରିଛନ୍ତି। ବାଘ ଭୟରେ ଚାଷୀମାନେ ନିଜ ଚାଷ ଜମିକୁ ଯାଇ ପାରୁନାହାନ୍ତି। ପାଣି ନ ପାଇ କୋବି ଗଛ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରିବା ସହ ବାଘ ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି।

Share