ବାଘ ଶିକାରୀଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର(ବ୍ୟୁରୋ)/ବାଉଁଶୁଣୀ (ଡି.ଏନ୍‌.ଏ),୨୨ା୭(ବ୍ୟୁରୋ): ରାଜ୍ୟରେ ଥମୁନି ବାଘ ଶିକାର। ବିଲୁପ୍ତ ପ୍ରାୟ ହେବାକୁ ବସିଲାଣି ବାଘବଂଶ। ବାଘଙ୍କୁ ସୁରକ୍ଷା ତଥା ଶିକାର ରୋକିବା ଦିଗରେ ବନ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। ଅପରପକ୍ଷରେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ(ଏସ୍‌ଟିଏଫ) ବିଭିନ୍ନ ସମୟରେ ଚଢ଼ାଉ କରି ବାଘଛାଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରୁଛି। ବୁଧବାର ଏସ୍‌ଟିଏଫ୍‌ ଜଣେ ବନ୍ୟ ଜନ୍ତୁ ଶିକାରୀଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା କଣ୍ଟାମାଳ ଘୁଞ୍ଚିଙ୍ଗିର ଗ୍ରାମର ହର ରଣା। ହର ବାଘଛାଲ ନେଇ ଅସାଧୁ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ଯାଉଥିବା ସମୟରେ ବୌଦ୍ଧ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ କପାସିରା ଗ୍ରାମ ନିକଟରେ ଏସ୍‌ଟିଏଫ ତାଙ୍କୁ କାବୁ କରିଥିଲା। ଗିରଫ ପରେ ତାଙ୍କୁ ଏସ୍‌ଟିଏଫ ପକ୍ଷରୁ ପଚରାଉଚରା ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ଗନ୍‌ ପାଉଡର ଓ ଗୁଳି ଜବତ କରାଯାଇଥିଲା। ହରଙ୍କ ନିକଟରୁ ଏକ ବାଘଛାଲ, ସିଙ୍ଗଲ ବୋର ଦେଶୀ ବନ୍ଧୁକ, ୧୨ ଗେଲ୍‌ ସୀସା ଗୁଳି, ୧୭ ସୀସା, ୨ଡବା ଗନ୍‌ ପାଉଡର ଓ ୨୫ ଖାଲି କେସ୍‌ ଜବତ କରାଯାଇଥିଲା, ଯାହାକି ବନ୍ୟଜନ୍ତୁ ଶିକାରରେ ବ୍ୟବହାର କରାଯାଏ। ଏନେଇ ଏସ୍‌ଟିଏଫ ପକ୍ଷରୁ ଆଇପିସି ଦଫା ୩୭୯/୪୧୧/୧୨୦(ବି), ଆର୍ମସ ଆକ୍ଟ ଦଫା ୨୫ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନର ଦଫା ୫୧ରେ ଏକ ମାମଲା (୨୫/୨୧) ରୁଜୁ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଶିକାରୀଙ୍କୁ ଧରିବା ପାଇଁ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଚଳାଇଥିବାବେଳେ ବାଘଛାଲର ଫରେନ୍‌ସିକ ଯାଞ୍ଚ ପାଇଁ ଡେରାଡୁନ୍‌କୁ ପଠାଯିବ।

Share