ବନବିଭାଗ ହାତରେ ବାଘଛାଲ ରାକେଟ: ୪ ଗିରଫ

ନବରଙ୍ଗପୁର,୧୩।୯(ବି.ପ୍ର.)-ନବରଙ୍ଗପୁର ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ୨ଟି ସ୍ଥାନରୁ ୩ଟି ବାଘଛାଲ, ୨ ବାଇକ, ୪ଟି ମୋବାଇଲ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖାତିଗୁଡା ଥାନା ଅଧୀନ ବରିଗୁଡା ଗ୍ରାମର ଗୁପ୍ତ ପ୍ରସାଦ ଟାକ୍ରୀ, ପ୍ରହଲ୍ଲାଦ ନାୟକ, କଳାହାଣ୍ଡି ଜିଲା ଥୁଆମାଳ ରାମପୁର ଅଞ୍ଚଳର ସୁରେନ୍ଦ୍ର ନାୟକ ଓ ତ୍ରିନାଥ ନାୟକ। ଛାଲ ସବୁ କଲରାପତରିଆ ବାଘର ବୋଲି ନବରଙ୍ଗପୁରସ୍ଥିତ ଉପଖଣ୍ଡ ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡିଏଫଓ ମଗର ଧନଜି ରାଓସେ ଓ ଏସିଏଫ୍‌ଓ ଧନୁର୍ଜୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବାଘଛାଲ ଚାଲାଣ ହେଉଥିବା ଖବରପାଇ ନବରଙ୍ଗପୁର ରେଞ୍ଜର ଏକ ସ୍ବତନ୍ତ୍ର ଟିମ୍‌ ଶନିବାର କଳାହାଣ୍ଡି-ନବରଙ୍ଗପୁର ସୀମାରେ ଏବଂ ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତର ଅଣ୍ଟାସର ନିକଟ ଉସୁରୀପଦର ଛକରେ ଜଗି ରହିଥିଲା। ଏହି ସମୟରେ ବାଘ ଛାଲ ନେଇ ଯାଉଥିବା ୨ଟି (ଓଡି-୧୦ଏଏନ୍‌- ୦୪୯୧,ଓ ଏକ ନମ୍ବର ବିହୀନ)ବାଇକ୍‌କୁ ସେମାନେ ଅଟକାଇଥିଲେ। ଗୋଟିଏ ବାଇକ୍‌ରୁ ୧ ଓ ଅନ୍ୟଟିରୁ ୨ଟି ବାଘ ଛାଲ ଜବତ ହୋଇଛି। ସମସ୍ତ ଛାଲ କଲରାପତରିଆ ବାଘର ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଅଭିଯୁକ୍ତମାନେ କେଉଁଠୁ ଏହି ଛାଲ ଆଣିଥିଲେ ଓ କାହାକୁ ବିକ୍ରି କରିଥାନ୍ତେ ସେ ସଂକ୍ରାନ୍ତରେ ବନ ବିଭାଗ ତଦନ୍ତ ଜାରି ରଖିଛି। ଦରକାର ପଡିଲେ ବନ ବିଭାଗ ଅଭିଯୁକ୍ତଙ୍କୁ କୋର୍ଟରୁ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।

Share