Categories: ଫୁରସତ

ରାସ୍ତାରେ ୩ ଘଣ୍ଟା ବସି ରହିଲା ବାଘ

ରାମନଗର, ୬।୯: ଉତ୍ତରାଖଣ୍ଡର ରାମନଗର ରାସ୍ତାରେ ଗୋଟିଏ ବାଘ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବସି ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ଯାଇଥିଲା। ଅଧିକାଂଶ ଲୋକ ଗାଡ଼ି ଛାଡ଼ି ଦୂରକୁ ପଳାଇଥିବାବେଳେ ଆଉ କିଛି ଭିତରେ ବସି ରହିଥିଲେ। ତେବେ ବାଘଟି ଜଙ୍ଗଲ ମଧ୍ୟକୁ ନ ଯିବା ପର୍ଯ୍ୟନ୍ତ ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିଲେ। ରାମନଗରର ଟେଡାର ଅଧିବାସୀ ଅନେକ ଦିନ ଧରି ଏଠାରେ ଗୋଟିଏ ବାଘ ଓ ବାଘୁଣୀ ବୁଲୁଥିବାର ଦେଖିଛନ୍ତି। କିନ୍ତୁ ଯେତେବେଳେ ବାଘଟି ମୁଖ୍ୟ ରାସ୍ତାରେ ବସି ରହିବାର ଦେଖିବାକୁ ପାଇଥିଲେ ଲୋକମାନେ ଭୟଭୀତ ହୋଇ ପାଟି କରି ଦୂରକୁ ପଳାଇଥିଲେ। କିନ୍ତୁ ବାଘଟି ୩ ଘଣ୍ଟା ପାଖାପାଖି ସେମିତି ରାସ୍ତା ଉପରେ ରହିଥିଲା। ଲୋକଙ୍କଠାରୁ ସୂଚନା ପାଇବା ପରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଜଙ୍ଗଲକୁ ଘଉଡ଼ାଇ ଦେବାରେ ସଫଳ ହୋଇଥିଲେ। ଏହାପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।

Share