ବାଘ ଚମଡା ବିକ୍ରିବେଳେ ମାଡି ବସିଲା ଏସ୍‌ଟିଏଫ୍‌

ବାରିପଦା ଅଫିସ,୧୪।୧୨: ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଅସୁରକ୍ଷିତ। କିଛି ଦିନ ହେବ ହାତୀ ଶିକାର ଘଟଣା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଏକ ମହାବଳ ବାଘର ଚମଡା ବିକ୍ରି କରିବାକୁ ଆସିଥିବା ଶିକାରୀକୁ ସ୍ବତନ୍ତ୍ର ଟାସ୍କଫୋର୍ସ(ଏସ୍‌ଟିଏଫ୍‌) ଟିମ୍‌ ଗିରଫ କରିଛି। ଏଥିରେ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଅଭିଯୁକ୍ତ ଉଦଳା ଥାନା ଅନ୍ତର୍ଗତ ଶ୍ରୀଦାମଚନ୍ଦ୍ରପୁର ଗ୍ରାମର ଫାଗୁ ହାଁସଦା।

ସୂଚନାଯୋଗ୍ୟ, ଶିମିଳିପାଳରୁ ଗୋଟିଏ ମହାବଳ ବାଘର ଚମଡା ବିକ୍ରି କରିବାକୁ ଯୋଜନା କରାଯାଇଥିବା ଏସ୍‌ଟିଏଫ୍‌ ନଜରକୁ ଆସିଥିଲା। ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାରିପଦା -ଉଦଳା ରାଜ୍ୟ ରାଜପଥର ବି.ସି.ପୁର ଛକ ନିକଟରେ ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଚଢ଼ାଉ କରାଯାଇଥିଲା । ଏଥିରେ ୨ ଜଣ ଖସି ଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ତେବେ ବାଘଟି ୫ବର୍ଷ ବୟସର ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ ଜୁନ୍‌ ମାସରୁ ବିକ୍ରି କରିବାକୁ ଯୋଜନା କରାଯାଥିବା ଭିଡିଓରୁ ସ୍ପଷ୍ଟ ଜଣାପଡିଛି । ବାରିପଦାରେ ରହୁଥିବା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟଙ୍କ ଦ୍ବାରା ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । ଚମଡା ବିକ୍ରି ପାଇଁ ବ୍ୟବସ୍ଥା ଚାଲିଥିବା ଖବରପାଇ ଭାନୁମିତ୍ର ବେପାରୀଙ୍କ ସହ ୫ ଲକ୍ଷ ଟଙ୍କାରେ ଡିଲ କରିଥିଲେ ଏବଂ ସମସ୍ତ ବିଷୟରେ ଏସ୍‌ଟିଏଫ୍‌କୁ ଜଣାଇଥିଲେ। ଚମଡା ନେଇ ୩ ଜଣ ଆସିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ୨ଜଣ ଚମ୍ପଟ ମାରିଥିଲେ । ତେବେ ହାତୀ ପରେ ମହାବଳ ବାଘ ଶିକାର ସମ୍ପର୍କରେ ବନବିଭାଗ ପାଖରେ ସୂଚନା ନ ଥିବା ଆଶ୍ଚର୍ଯ୍ୟଜନକ ବୋଲି ଆଲୋଚନା ହେଉଛି । ଶିମିଳିପାଳ ପ୍ରବେଶ ଉପରେ କଡାକଡି କଟକଣା କରାଯାଇଥିବା ବେଳେ ଶିକାରୀମାନେ କିପରି ଶିକାର କରୁଛନ୍ତି ତାହାକୁ ନେଇ ବନବିଭାଗ ଉପରେ ସନ୍ଦେହ କରାଯାଇଛି ।

Share