କୋଟଗଡ଼,୩୦।୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡାରେ ବାଘ ଆତଙ୍କ। ସହରର ବଡ଼ଗାଁ ନିକଟ ଖଡଗ ନଦୀ କୂଳରେ ଥିବା ପମ୍ପ ହାଉସ ନକଟରେ ସୋମବାର ରାତିରେ ବାଘ ଗର୍ଜନ କରୁଥିବା କର୍ମଚାରୀ ପ୍ରକାଶ କରିଛନ୍ତି। ଏପରିକି ପମ୍ପ ହାଉସ କର୍ମଚାରୀ ପାଣିପମ୍ପ ଚଳାଇବା ପାଇଁ ଯାଉଥିବା ବେଳେ ବାଘ ଗର୍ଜନ ଶୁଣି ଟର୍ଚ୍ଚ ପକାଇଥିଲେ। ପରେ ବାଘ ଦୁଇଟି ସେମାନଙ୍କ ନିକଟକୁ ଦୌଡ଼ି ଆସିବା ପରେ କର୍ମଚାରୀ ପ୍ରାଣ ବିକଳରେ ପମ୍ପ ହାଉସ ଘର ଭିତରକୁ ଚାଲିଆସି ଜୀବନ ବଞ୍ଚାଇଥିଲେ। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନଟ କରି ଫଟୋ ସଂଗ୍ରହ କରିଥିଲେ। ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷେ ପମ୍ପ ହାଉସ କର୍ମଚାରୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଲିଗୁଡା ବନ ବିଭାଗ ଅଧିକାରୀ ଖବର ପାଇ ରାତି ତମାମ ବାଘର ଉପସ୍ଥିତି ଜାଣିବା ପାଇଁ ଜଗି ରହିବା ସହ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ। ଅଞ୍ଚଳରେ କେଉଁ ପ୍ରଜାତିର ବାଘ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବାଲିଗୁଡା ରେଞ୍ଜର ଉଦିତ ନାରାୟଣ ପ୍ରଧାନ କହିଛନ୍ତି।