ମାଲକାନଗିରି,୪ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ କିଛି କିଲୋମିଟର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ବୋଡୁନୁର ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ବନ ବିଭାଗ ବାଘଟିକୁ କାବୁ କରିବା ପାଇଁ ଉଦ୍ୟମ ଚଳାଇଛି। ଆନ୍ଧ୍ରପ୍ରଦେଶର ଇଷ୍ଟଗୋଦାବେରୀରେ ଥିବା ଚିନ୍ତୁର ଡିଭିଜନ ବୋଡୁନୁର ଗ୍ରାମକୁ ସୋମବାର ଏକ ବାଘ ପଶି ଆସିଥିଲା। ବୋଡୁନୁର ଗ୍ରାମବାସୀ କହିଛନ୍ତି, ଗ୍ରାମର ସୋଡେ ଶ୍ରୀନୁ ନିଜ ଗାଈକୁ ନେଇ ନିକଟରେ ଥିବା ଜଙ୍ଗଲକୁ ଚରାଇବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ବାଘ ହଠାତ୍ ଆକ୍ରମଣ କରି ଗାଈ ମୁହଁକୁ କାମୁଡ଼ି ନିକଟରେ ଥିବା ଏକ ନାଳକୁ ଟାଣି ନେଇଥିଲା। ଏହା ଦେଖି ଶ୍ରୀନୁ ପାଟି କରିବାରୁ ଗାଁ ଲୋକେ ଘଟଣାସ୍ଥଳକୁ ଆସିଥିଲେ। ବାଘଟି ସେଠାରୁ ପଳାଇ ଯାଇଥିଲା, କିନ୍ତୁ ଗାଈଟିର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାପ୍ କ୍ୟାମେରା ଲଗାଇବା ସହ ବାଘଟିକୁ ଖୋଜିବା ଆରମ୍ଭ କରିଛନ୍ତି।