ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ ବାଘ ଆତଙ୍କ: ୭ଛେଳିକୁ ମାରିଲା

ରେଢ଼ାଖୋଲ,୧୦ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧୀନ ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ମଙ୍ଗଳପୁର ଗ୍ରାମରେ ଗୁରୁବାର ୭ଟି ଛେଳିଙ୍କୁ ବାଘ ମାରି ଦେଇଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବରପାଇ ବନବିଭାଗ କର୍ମଚାରୀ ପହଞ୍ଚି ଶୁକ୍ରବାର ମଙ୍ଗଳପୁର ସମେତ ଅଖପାଖ ଗ୍ରାମରେ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳପୁର ଗ୍ରାମର ଯୋଗେଶ ଲାକ୍ରା ନାମକ ଚାଷୀ ଗୁରୁବାର ନିଜର ଛେଳି ଚରାଇବାକୁ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ତେବେ ଘରକୁ ଫେରିବା ପରେ ତାଙ୍କର ୭ଟି ଛେଳି ନ ଥିବା ଜାଣିଥିଲେ। ସେ ଜଙ୍ଗଲକୁ ଖୋଜିବାକୁ ଯିବାବେଳେ କଲରାପତରିଆ ବାଘ ଛେଳିଗୁଡିକୁ ମାରିଦେଇଥିବା ଦେଖି ଭୟଭୀତ ଅବସ୍ଥାରେ ଗାଁକୁ ଫେରି ଲୋକଙ୍କୁ ଜଣାଇବା ସହ ବନବିଭାଗକୁ ଖବର କରିଥିଲେ।

ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଛେଳିଙ୍କ ବ୍ୟବଚ୍ଛେଦ ପାଇଁ ନାକ୍ଟିଦେଉଳ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ପଠାଇଛନ୍ତି। ଏଥିସହିତ ଯୋଗେଶଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଡିଏଫ୍‌ଓ ଅରବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

Share