ବାଘଙ୍କ ପସନ୍ଦ ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୩୦।୭ (ଅସମାପିକା ସାହୁ):ଓଡ଼ିଶାର ଜଙ୍ଗଲ ବାହାର ରାଜ୍ୟର ବାଘଙ୍କ ଭାରି ପସନ୍ଦ। ସେଥିପାଇଁ ଶହ ଶହ କିଲୋମିଟର ଅତିକ୍ରମ କରି ଓଡ଼ିଶା ଜଙ୍ଗଲକୁ ଏକାଧିକ ବାଘ ଚାଲି ଆସିଥିବା ନଜିର ରହିଛି। ଏଠାକୁ ଆସିବା ପରେ ସେମାନେ ନିଜର ଟେରିଟୋରି ବା ବାସସ୍ଥାନ ତିଆରି କରୁଛନ୍ତି। ଏବେ ଅନ୍ୟ ରାଜ୍ୟର ଦୁଇଟି ମହାବଳ ଓଡ଼ିଶାର ଦୁଇଟି ଜଙ୍ଗଲରେ ରହୁଛନ୍ତି। ଦୀର୍ଘ ୨୦ ବର୍ଷ ପରେ ସୁନ୍ଦରଗଡ଼ ଜଙ୍ଗଲରେ କ୍ୟାମେରା ଟ୍ରାପ୍‌ରେ କଏଦ ହୋଇଥିବା ମହାବଳ ବର୍ଷକ ତଳୁ ମଧ୍ୟପ୍ରଦେଶର ସଞ୍ଜୟ ଡୁବୁରୀ ଅଭୟାରଣ୍ୟରୁ ଆସି ଏଠାରେ ଡେରା ପକାଇଥିବା ଜଣାପଡିଛି। ସେହିପରି ଗଜପତି ଜଙ୍ଗଲରେ କ୍ୟାମେରା ଟ୍ରାପ୍‌ରେ ଠାବ ହୋଇଥିବା ଆଉ ଏକ ମହାବଳ ଦୀର୍ଘଦିନ ହେଲା ମହାରାଷ୍ଟ୍ର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଏଠାରେ ତା’ର ନିଜର ଇଲାକା କରିସାରିଲାଣି। ତେବେ ବାହାର ରାଜ୍ୟରୁ ବାଘ ଆସି ଓଡ଼ିଶାରେ ନିଜର ବାସସ୍ଥାନ ତିଆରି କରିବା ନୂଆକଥା ନୁହେଁ। ପୂର୍ବରୁ ବି ଓଡ଼ିଶା ଜଙ୍ଗଲ ମହାବଳଙ୍କ ପସନ୍ଦର ସ୍ଥାନ ରହିଆସିଛି। ନିକଟରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବାର୍ଦ୍ଧକ୍ୟଜନିତ କାରଣରୁ ମହାବଳ ‘ନନ୍ଦନ’ର ମୃତ୍ୟୁ ଘଟିଥିଲା। ସାଥୀ ସନ୍ଧାନରେ ସେ ସାତକୋଶିଆ ଅଭୟାରଣ୍ୟରୁ ୨୦୧୩ ମାର୍ଚ୍ଚରେ ନନ୍ଦନକାନନକୁ ପଳାଇ ଆସିଥିଲା ବୋଲି ସେତେବେଳେ କୁହାଯାଉଥିଲା। ହେଲେ ଏହା ସେଣ୍ଟ୍ରାଲ ଇଣ୍ଡିଆ ଲ୍ୟାଣ୍ଡ୍‌ସ୍କେପ୍‌ରୁ ଆସିଥିଲା ବୋଲି ନିକଟରେ ଏହାର ଜିନ୍‌ଗତ ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ପିସିସିଏଫ୍‌ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ମହାବଳଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ଘଞ୍ଚ ଜଙ୍ଗଲ ରହିଛି। ଖାଦ୍ୟ ବି ରହିଛି। ତେଣୁ ସେମାନେ ଓଡ଼ିଶା ଜଙ୍ଗଲକୁ ଆସି ଏଠାରେ ନିଜର ଇଲାକା ତିଆରି କରିବାକୁ ଅଧିକ ପସନ୍ଦ କରୁଛନ୍ତି।
ଅପରପକ୍ଷେ ଶିମିଳିପାଳ ଅଭୟାରଣ୍ୟ ନିକଟରେ ପ୍ରସ୍ତାବିତ ଦେଶର ପ୍ରଥମ କଳାବାଘ ସଫାରୀ ପ୍ରକଳ୍ପ ପାଇଁ ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ଅନୁମୋଦନ କରିଥିବା ବେଳେ ଏହାର ଡିଜାଇନ୍‌କୁ ସେଣ୍ଟ୍ରାଲ ଜୁ’ ଅଥରିଟି(ସିଜେଡ୍‌ଏ) ମଞ୍ଜୁରୀ ଦେଇଛି। ଏହି କଳାବାଘ ସଫାରୀରେ ନନ୍ଦନକାନନରୁ କଳାବାଘ ଓ କଳା ଜିନ୍‌ ଥିବା ବାଘକୁ ଆଣି ଛଡ଼ାଯିବ। ଏଠାରେ ବାଘଙ୍କ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ରହିବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ସଫାରୀ ପର୍ଯ୍ୟଟକଙ୍କ ପାଇଁ ଖୋଲାହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ରହିଛି।

Share