ବଡଦିନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା

ଫୁଲବାଣୀ ଅଫିସ/ରାଇକିଆ(ଡି.ଏନ.ଏ.)୨୪ା୧୨: ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସେମାନଙ୍କ ପ୍ରମୁଖ ପର୍ବ ବଡଦିନ ପାଳନ କରିବେ। ଏଥିଲାଗି ଜିଲାର ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ ହୋଇଉଠିଛି। ବଡ଼ଦିନକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲଙ୍କ ସୂଚନା ଅନୁସାରେ ଜିଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମ୍ବଦେନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଜଲେଶପଟା ଓ ଚକାପାଦ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ନାକା କରି ଗାଡିମୋଟର ଯାଞ୍ଚ କରାଯାଇଛି । ଜିଲାରେ ସମୁଦାୟ ୨୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଅତି ସମ୍ବେଦନଶୀଳ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି ଓ ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯିବା ସହ ସମସ୍ତ ଥାନା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ ଚାଲଛି। ମାଓବାଦୀ ପ୍ରବଣ ଅଞ୍ଚଳଗୁଡିକରେ ମଧ୍ୟ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଶୁକ୍ରବାର ରାଇକିଆ ପୋଲିସ ତରଫରୁ ଫ୍ଲାଗମାର୍ଚ କରାଯାଇଛି। ରାଇକିଆ ଥାନାଧିକାରୀ ରମାକାନ୍ତ ପାତ୍ରଙ୍କ ନେତୃତ୍ୱରେ ଥାନା ପରିସରରୁ ଫ୍ଲାଗମାର୍ଚ୍ଚରେ ସୁରକ୍ଷା କର୍ମୀମାନେ ବାହାରି ପରିକ୍ରମା କରିଥିଲେ।

Share