Categories: ଜାତୀୟ

ପାକିସ୍ତାନ-ବାଂଲାଦେଶ ସୀମାରେ ବଢ଼ିବ କଡ଼ା ପହରା…

ନୂଆଦିଲ୍ଲୀ, ୧୮।୪ : ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ କଡ଼ା ପହରା ପାଇଁୟ ଯୋଜନା କରାଯାଇଛି। ଏହା ଅନ୍ତର୍ଗତ ଚଳିତ ବର୍ଷର ସାଢ଼େ ତିନି ମାସ ମଧ୍ୟରେ ପ୍ରାୟ ୯,୫୦୦ରୁ ଅଧିକ ଯବାନ ସୀମା ସୁରକ୍ଷା ବଳ (ବିଏସଏଫ) ରେ ଯୋଗ ଦେଇଛନ୍ତି। ଯବାନମାନଙ୍କୁ ପାକିସ୍ତାନ ଏବଂ ବାଂଲାଦେଶ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଯବାନମାନଙ୍କ ମଧ୍ୟରୁ ଅଧିକାଂଶ କନଷ୍ଟେବଳ ଭାବରେ ଫୋର୍ସରେ ପ୍ରବେଶ କରିଛନ୍ତି। ସେମାନଙ୍କୁ ଧୀରେ ଧୀରେ ପାକିସ୍ତାନ ଏବଂ ବାଂଲାଦେଶ ସହିତ ସୀମା ପୋଷ୍ଟ ଏବଂ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବା ଲାଗି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କରାଯିବା କାର୍ଯ୍ୟ ଜାରି ରହିଛି।

ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀ ୧ ରୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ମୋଟ ୯,୫୫୦ ଯବାନଙ୍କୁ ନିଯୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧,୭୦୦ ଜଣ ମହିଳା ରହିଛନ୍ତି। ଅସ୍ତ୍ରଶସ୍ତ୍ର ପରିଚାଳନା, ମାନଚିତ୍ର ଅଧ୍ୟୟନ, ବିପର୍ଯ୍ୟୟ ପରିଚାଳନା, ସୀମା ପରିଚାଳନା ଏବଂ ମାନବିକ ଅଧିକାର ଭଳି ବିଷୟଗୁଡିକରେ ୪୪ ସପ୍ତାହ ତାଲିମ ପ୍ରଦାନ କରାଯିବା ପରେ ବିଏସ୍‌ଏଫ୍‌ରେ ନିଯୁକ୍ତି ପ୍ରଦାନ କରାଯାଇଛି।

ଚଳିତ ବର୍ଷ ଯବାନଙ୍କ ନିଯୁକ୍ତି ସମ୍ପର୍କରେ ବିଏସଏଫ ଅଧିକାରୀ କହିଛନ୍ତି ଯେ ଅଧିକାଂଶ ନିଯୁକ୍ତି ଡ୍ୟୁଟି କ୍ୟାଡରର ହୋଇଥିବାବେଳେ କିଛି କର୍ମଚାରୀ ରେଡିଓ ଅପରେଟର ଏବଂ ଅନ୍ୟାନ୍ୟ ବିଶେଷ ଶାଖା ପାଇଁ ନିଯୁକ୍ତି ପାଇଛନ୍ତି। ଆଗାମୀ ଦିନରେ ଅଧିକ ଯବାନ ନିଯୁକ୍ତି କରାଯିବ ବୋଲି ସେ କହିଛନ୍ତି।

ଅଧିକାରୀ ଆହୁରି ସୂଚନା ଦେଇଛନ୍ତି ଯେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ପ୍ରାୟ ୨.୬୫ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଭାରତର ସୀମା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଲିଥିବା ପଦବୀ ପୂରଣ କରିବା ଆରମ୍ଭ ହୋଇଛି।

Share