‘ସରକାରୀ କାର୍ଯ୍ୟାଳୟ, ଶିଳ୍ପାନୁଷ୍ଠାନରେ କରୋନା ପ୍ରତିଷେଧକ କଡ଼ାକଡ଼ି କରାଯାଉ’

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ସରକାରୀ କାର୍ଯ୍ୟାଳୟ ଓ ଶିଳ୍ପ କ୍ଷେତ୍ରରେ କରୋନା ପ୍ରତିଷେଧକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉ। କାର୍ଯ୍ୟରତ ସମସ୍ତ ଶ୍ରମିକ, କର୍ମଚାରୀଙ୍କ ନିର୍ଦ୍ଧାରିତ ସମୟରେ ରକ୍ତ ନମୁନା ପରୀକ୍ଷା କରାଯାଉ। ଯେଉଁ ଶ୍ରମିକମାନେ କାର୍ଯ୍ୟରତ ସମୟରେ କରୋନାରେ ମରୁଛନ୍ତି ସେମାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ବୁଧବାର ଅନୁଷ୍ଠିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ଭର୍ଚୁଆଲ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ରାମ ଚନ୍ଦ୍ର ଖୁଣ୍ଟିଆ ଏହା କହିଛନ୍ତି। ରାଜ୍ୟରେ ୨୯ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ୧୪ ଲକ୍ଷଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ମିଳିଛିି। ରାଜ୍ୟର ସମସ୍ତ ନିର୍ମାଣ ଶ୍ରମିକ, ୩୫ ଲକ୍ଷ ପ୍ରବାସୀ ଶ୍ରମିକ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟରତ ୬୦ ଲକ୍ଷ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ ମଙ୍ଗଳବୋର୍ଡରେ ପଞ୍ଜୀକୃତ କରିବାକୁ ଖୁଣ୍ଟିଆ ଦାବି କରିଛନ୍ତି। ଏଥିସହିତ ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକମାନଙ୍କୁ ତୁରନ୍ତ କାର୍ଯ୍ୟରେ ସ୍ଥାୟୀ କରିବା ଓ ଠିକା ଶ୍ରମିକମାନଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

Share