Categories: ଜାତୀୟ

ମଣିଷ ଖିଆ ବାଘୁଣୀ ନ ଥିଲା ଅବନୀ

ନୂଆଦିଲ୍ଲୀ, ୧୦ା୨- ୨୦୧୮ ନଭେମ୍ବରରେ ମଣିଷ ଖିଆ ଅଭିଯୋଗରେ ଅବନୀ ନାମକ ବାଘୁଣୀକୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲା ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ଆଉ ବାଘର ହତ୍ୟା କରିଥିବା ଶିକାରୀକୁ ପୁରସ୍କୃତ କରାଯାଇଥିବା ସଂକ୍ରାନ୍ତରେ ମଧ୍ୟ ଉତ୍ତର ମାଗିଛନ୍ତି ମାନ୍ୟବର କୋର୍ଟ।

ମୁଖ୍ୟ ବିଚାରପତି ଏସ୍‌.ଏ. ବୋବଡେ, ଏ.ଏସ. ବୋପାନ୍ନା ଓ ଭି. ରାମାସୁବ୍ରମଣ୍ୟନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆକ୍ଟିଭିଷ୍ଟ ସଙ୍ଗୀତା ଡୋଗ୍ରାଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରିଥିଲେ।

ଅବନୀ ୧୩ ଗ୍ରାମବାସୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବନ ବିଭାଗ। ଯଦି ବାଘୁଣୀ ଉପରେ ଟ୍ରାନ୍‌କୁଲାଇଜର୍ସ କାମ ଦେଉନାହିଁ, ତେବେ ତାକୁ ଗୁଳି କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାର ୩ ମାସ ପରେ ଅର୍ଥାତ ୨୦୧୮ ନଭେମ୍ବରରେ ବୋରାଟି ଗ୍ରାମ ନିକଟରେ ବନ ବିଭାଗ ଏବଂ ଶିକାରୀଙ୍କ ଏକ ଦଳର ଗୁଳିରେ ପ୍ରାଣ ହରାଇଥିଲା ଅବନୀ। କିନ୍ତୁ ବାଘୁଣୀର ଶବ ବ୍ୟବଚ୍ଛେଦ ପରେ ତା ପେଟରୁ ମଣିଷଙ୍କୁ ଖାଇଥିବାର କିଛି ପ୍ରମାଣ ମିଳି ନ ଥିଲା। ବାଘଙ୍କ ଅନ୍ତନଳୀରେ ଶିକାରର ନଖ ଓ ଚୁଟି ୬ ମାସ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଅବନୀର ପେଟ ଖାଲି ଥିଲା। ବାଘୁଣୀର ହତ୍ୟା ପରେ ବେଆଇନ ଭାବେ ବନ ବିଭାଗ ପକ୍ଷରୁ ଉକ୍ତ ଶିକାରୀକୁ ପୁରସ୍କୃତ କରାଯାଇଥିଲା। ଏହା ଉପରେ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଠାରୁ ଉତ୍ତର ତଲବ କରିଛନ୍ତି।

Share