ନାସିକ, ୧୯।୮: ମହାରାଷ୍ଟ୍ରର ନାସିକରେ ଏକ ନିଆରା ଘଟଣା ଘଟିଛି। ଏଠାରେ କୁଡ଼ିଆ ଘରେ ଏକ ଚିତାବାଘୁଣୀ ୪ ଶାବକଙ୍କୁ ଜନ୍ମ ଦେଇଛି। ଚିତାବାଘୁଣୀ ସ୍ଥାନୀୟ ଇଗତପୁରୀ ଅଞ୍ଚଳରେ ଏକ ପରିତ୍ୟକ୍ତ କୁଡ଼ିଆ ଘରେ ଶାବକଙ୍କୁ ଜନ୍ମ ଦେଇଥିବା ଫରେଷ୍ଟ ଡିଭିଜନ ଅଧିକାରୀ ଗଣେଶରାଓ ଜୋଲ ସୂଚନା ଦେଇଛନ୍ତି। ଶାବକମାନେ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ଏଠାରୁ ମା’ ଚିତା ଏବଂ ଶାବକମାନଙ୍କୁ ଅନ୍ୟତ୍ର ନେବାକୁ ଉଦ୍ୟମ ହେଉଥିବା ସେ କହିଛନ୍ତି। କୁଡ଼ିଆ ଘରେ ଚିତାବାଘୁଣୀ ଶାବକଙ୍କୁ ଜନ୍ମ ଦେଇଥିବା ପ୍ରଚାରିତ ହେବା ପରେ ଲୋକେ ଏଠାକୁ ମା’ ଏବଂ ଶାବକଙ୍କୁ ଦେଖିବାକୁ ଆସୁଛନ୍ତି। ସୁରକ୍ଷା ଦୃଷ୍ଟିରୁ କାହାକୁ ନିକଟକୁ ଯିବାକୁ ଦିଆଯାଉ ନ ଥିବା ଗଣେଶରାଓ କହିଛନ୍ତି। ଏବେ ଏହାର ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଚିତାବାଘଙ୍କ ସଂଖ୍ୟା ଅଧିକ ରହିଛିି ।